ଚୀନ ବିରୋଧରେ ଭାରତ, ଜାପାନ, ଶ୍ରୀଲଙ୍କା ଏକଜୁଟ

ନୂଆଦିଲ୍ଲୀ: ଏସିଆ ମହାଦେଶରେ ନିଜ ପ୍ରଭାବ ବିସ୍ତାର କରିଆସୁଥିବା ଚୀନକୁ ଅଟକାଇବା ପାଇଁ ଭାରତ, ଜାପାନ ଏବଂ ଶ୍ରୀଲଙ୍କା ଏକାଠି ହୋଇଛନ୍ତି। ନରେନ୍ଦ୍ର ମୋଦୀ ନିର୍ବାଚନରେ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ବୈଦେଶିକ ନୀତିରେ ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, କଲମ୍ବୋ ନିକଟରେ ଥିବା ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟରେ ଶ୍ରୀଲଙ୍କା ଏବଂ ଜାପାନକୁ ଭାରତ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି। ଚୀନର ବୃଦ୍ଧି ପାଉଥିବା ଶକ୍ତିକୁ ଦୃଷ୍ଟିରେ ରଖି ମହାଦେଶରେ କ୍ଷମତାର ସନ୍ତୁଳନ ପାଇଁ ତିନି ଦେଶ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା କୁହାଯାଉଛି। ଏହି କ୍ରମରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ତିନି ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର କରାଯିବା ଯୋଜନା କରାଯାଉଛି। ପ୍ରସ୍ତାବିତ ଚୁକ୍ତି ଅନୁଯାୟୀ, କଲମ୍ବୋ ବନ୍ଦରର କ୍ଷମତା ବୃଦ୍ଧି କରାଯିବା ସହିତ ଦକ୍ଷିଣ ଏସିଆରେ ଏହାର ପରିବହନ କ୍ଷମତା ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି। ତିନି ଦେଶ ମିଶି କଲମ୍ବୋ ବନ୍ଦରର ଦକ୍ଷିଣରେ ଥିବା ବନ୍ଦରର କ୍ଷମତା ବଢ଼ାଇବେ। ନିର୍ମାଣ ହେଉଥିବା ଏହି ବନ୍ଦରକୁ ସମ୍ପ୍ରସାରଣ କରାଯିବା ପରେ ଏଠାରୁ ବଡ଼ ବଡ଼ ଜାହାଜ ଯାତାୟତ କରିପାରିବ। ଏହାଦ୍ୱାରା ବନ୍ଦରଟି ଏସିଆର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପ୍ରକଳ୍ପର ଗୋଟିଏ ଅଂଶ ପାଇଁ ଜାପାନ ଆର୍ଥିକ ସହାୟତା ଦେବ। ଉଲ୍ଲେଖଯୋଗ୍ୟ, ଏବେ ଶ୍ରୀଲଙ୍କାର ୯୦ ପ୍ରତିଶତ ସାମଗ୍ରୀ ଏହି ବନ୍ଦର ଦେଇ ୟୁରୋପ, ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଏବଂ ଏସିଆର ଅନ୍ୟ ଦେଶମାନଙ୍କୁ ପଠାଯାଉଛି। ଏତଦ୍‌ ବ୍ୟତୀତ, ଭାରତ ଏବଂ ଜାପାନ ପୂର୍ବ ଶ୍ରୀଲଙ୍କାରେ ଥିବା ତ୍ରିଙ୍କମାଳି ବନ୍ଦରର ଉନ୍ନତୀକରଣ କରିବା ପାଇଁ ମଧ୍ୟ ଯୋଜନା କରୁଥିବା ଜଣାପଡ଼ିଛି। ବେଲ୍ଟ ରୋଡ଼୍‌ ପ୍ରକଳ୍ପ ଜରିଆରେ ଚୀନ ଏହି ଅଂଚଳରେ ପ୍ରଭାବ ବିସ୍ତାର କରିବାକୁ ଯୋଜନା କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ତିନି ଦେଶ ବୁଝାମଣା ପାଇଁ ଅଗ୍ରସର ହେଉଛନ୍ତି। ୨୦୧୫ ମସିହା ଠାରୁ ଶ୍ରୀଲଙ୍କା ଭାରତ ଏବଂ ଜାପାନର ସହାୟତା ପାଇଁ ଅନୁରୋଧ କରିଆସୁଛି। ଚୀନର ଅତ୍ୟଧିକ ନିବେଶ ଯୋଗୁଁ ଶ୍ରୀଲଙ୍କା ଋଣରେ ବୁଡ଼ିଯାଇଛି। ଏଥିଯୋଗୁଁ ହମ୍ବାନ୍ତତା ବନ୍ଦରର ଦକ୍ଷିଣ ଭାଗକୁ ଚୀନକୁ ୯୯ ବର୍ଷର ଚୁକ୍ତିରେ ଦେବା ପାଇଁ ଶ୍ରୀଲଙ୍କା ବାଧ୍ୟ ହୋଇଛି।

ସମ୍ବନ୍ଧିତ ଖବର