ନୂଆଦିଲ୍ଳୀ: ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ବୈଦେଶିକ ମନ୍ତ୍ରୀ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ନିଜର ସମବେଦନା ଜଣାଇ ଏକ ଏକ୍ସ ପୋଷ୍ଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Advertisment

ମୋଦୀ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ଇରାନ ରାଷ୍ଟ୍ରପତି ରଇସିଙ୍କ ପର‌େଲୋକରେ ଦୁଃଖିତ ଓ ମର୍ମାହତ। ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ପରିବାର ତଥା ଇରାନବାସୀଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି। ଏହି ଦୁଃଖୀ ସମୟରେ ଭାରତ ଇରାନ ସାଥୀରେ ଅଛି।’’

ସେହିପରି ରଇସିଙ୍କ ମୃତ୍ୟୁରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୈଶଙ୍କର ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ ମଧ୍ୟ ଏକ ଏକ୍ସ ପୋଷ୍ଟ୍‌ କରି ଲେଖିଛନ୍ତି, "ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଡକ୍ଟର ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଏଚ୍ ଆମୀର-ଅବଦୋଲ୍ଲାହାନଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଚକିତ ହୋଇପଡିଛି। ୨୦୨୪ ମସିହା ଜାନୁଆରିରେ ସେମାନଙ୍କ ସହ ମୋର ଅନେକ ବୈଠକ ମନେପଡୁଛି। ସେମାନଙ୍କ ପରିବାର ପ୍ରତି ଆମର ସମବେଦନା। ଏହି ଦୁଃଖଦ ସମୟରେ ଆମେ ଇରାନର ଲୋକମାନଙ୍କ ସହ ଅଛୁ।’’

ଉଲ୍ଲେଖଯୋଗ୍ୟ, ରବିବାର ଦିନ ପାଖାପାଖି ୩ଟା ସମୟରେ ରଈସିଙ୍କ ହେଲିକପ୍ଟରଟି ଆଜରବାଇଜାନର ଘନ ଓ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟରରେ ବୈଦେଶିକ ମନ୍ତ୍ରୀ ଇବ୍ରାହିମ ରାଇସି ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଥିଲେ। ଦୁର୍ଘଟଣା ପରେ ଇରାନ ରାଷ୍ଟ୍ରପତିଙ୍କ ସହ ଯୋଗଯୋଗ ହୋଇପାରିନଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ରଇସି ପୂର୍ବ ଅଜରବାଇଜାନ ଅଂଚଳରେ ଯାତ୍ରା କରିବା ବେଳେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ସମେତ ମୋଟ ତିନୋଟି ହେଲିକପ୍ଟର ଥିଲା । ଇରାନର ରାଜଧାନୀରୁ ପାଖାପାଖି ୬୦୦ କିଲୋମିଟର ଦୂର ଉତର ପଶ୍ଚିମର ଜୋଲଫା ସହରରେ ହଠାତ୍ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।