ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବିଦେଶୀ ସାମରିକ ଭିତ୍ତିଭୂମି ମୁତୟନ ଉଦ୍ୟମକୁ ବିରୋଧ କରିବା ପାଇଁ ମଙ୍ଗଳବାର ଭାରତ ରୁଷ୍, ଚୀନ୍ ଓ ଅନ୍ୟ ସାତଟି ଦେଶ ସହ ମିଶିଛି। ‘ମସ୍କୋ ଫର୍ମାଟ୍’ ଆଲୋଚନାର ଏକ ନୂତନ ସଂସ୍କରଣରେ ଆଫଗାନିସ୍ତାନରେ ସମୃଦ୍ଧି ଓ ବିକାଶ ଆଣିବା ପାଇଁ ଏହି ଦେଶ ଗୋଷ୍ଠୀ ବ୍ୟାପକ ବିଚାରବିମର୍ଶ କରିଥିଲେ। ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ପ୍ରଥମ ଥର ପାଇଁ ମସ୍କୋ ଫର୍ମାଟ୍ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କିଛି ସପ୍ତାହ ତଳେ ଟ୍ରମ୍ପ କହିଥିଲେ ଯେ, ତାଲିବାନ ବାଗ୍ରାମ ଏୟାର୍ବେସ୍ ଆମେରିକାକୁ ହସ୍ତାନ୍ତର କରିବା ଉଚିତ, କାରଣ ଏହା ୱାସିଂଟନ ଦ୍ୱାରା ସ୍ଥାପିତ ହୋଇଥିଲା।
ମସ୍କୋରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣକାରୀ ରାଷ୍ଟ୍ରମାନେ ଉଭୟ ଦ୍ୱିପାକ୍ଷିକ ଓ ବହୁପକ୍ଷୀୟ ସ୍ତରରେ ଆତଙ୍କବାଦ ନିରୋଧୀ ସହଯୋଗକୁ ମଜବୁତ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ବିବୃତିରେ କୁହାଯାଇଛି ଯେ, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଆଫଗାନିସ୍ତାନକୁ ସମର୍ଥନ କରାଯିବା ଉଚିତ ଯାହାଦ୍ୱାରା ଆଫଗାନିସ୍ତାନ ମାଟି ପଡୋଶୀ ଦେଶ ତଥା ବାହାରେ ସୁରକ୍ଷା ପାଇଁ ବିପଦ ଭାବରେ ବ୍ୟବହୃତ ହେବ ନାହିଁ। ଏହି ବୈଠକରେ ଭାରତ, ରୁଷ୍ ଓ ଚୀନ୍ ବ୍ୟତୀତ ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଯୋଗ ଦେଇଥିଲେ। ରାଷ୍ଟ୍ରଦୂତ ବିନୟ କୁମାରଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଏକ ସ୍ୱାଧୀନ, ଶାନ୍ତିପୂର୍ଣ୍ଣ ଓ ସ୍ଥିର ଆଫଗାନିସ୍ତାନ ଏବଂ ଆଫଗାନିସ୍ତାନ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଓ ସମୃଦ୍ଧିକୁ ସମର୍ଥନ କରିଛନ୍ତି ବୋଲି ମସ୍କୋସ୍ଥିତ ଭାରତୀୟ ଦୂତାବାସ କହିଛି।