ଇସ୍ରାଏଲର ମାନବାଧିକାର ଉଲ୍ଲଂଘନ ତଦନ୍ତ, ଜାତିସଂଘ ଭୋଟିଂରୁ ଭାରତ ଦୂରେଇ ରହିଲା

ଜେନେଭା(ସ୍ବିଜରଲ୍ୟାଣ୍ଡ୍‌) : ଚଳିତ ମାସ ପ୍ରାରମ୍ଭରେ ସଂଘଟିତ ଇସ୍ରାଏଲ-ପାଲେଷ୍ଟାଇନ୍‌ ସଂଘର୍ଷ ବେଳେ ଇସ୍ରାଏଲ୍‌ ଓ ପୂର୍ବ ଜେରୁଜେଲମ୍‌ ସମେତ ଇସ୍ରାଏଲ୍‌ ଦ୍ବାରା ଅଧିକୃତ ପାଲେଷ୍ଟିନୀୟ ଅଞ୍ଚଳରେ ମଧ୍ୟ ମାନବାଧିକାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ଉଠିଛି। ତେବେ ଏହାର ବିଧିବଦ୍ଧ ତଦନ୍ତ ଲାଗି ଜାତିସଂଘ ମାନବାଧିକାର ପରିଷଦ ପକ୍ଷରୁ ଏକ ସଂକଳ୍ପ ପାରିତ ପାଇଁ ଶୁକ୍ରବାର ସଦସ୍ୟ ରାଷ୍ଟ୍ରମାନଙ୍କର ମତଦାନ ଲୋଡ଼ାଯାଇଥିଲା। ଅପରପକ୍ଷେ, ଆତଙ୍କବାଦୀ ସଂଗଠନ ହମାସ ଦ୍ବାରା ସଂଗଠିତ ଅପରାଧକୁ ଘୋଡ଼ାଇବା ପାଇଁ ଏପରି ସଂକଳ୍ପ କରାଯାଉଛି ବୋଲି ଇସ୍ରାଏଲ ଆକ୍ଷେପ କରିଛି। ତେବେ ଏହି ସଂକଳ୍ପ ପାଇଁ ମତଦାନରୁ ଭାରତ ବିରତ ରହି ନିଜର ଆତଙ୍କବାଦୀ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିଛି।

ଏହି ସଂକଳ୍ପକୁ ୨୪ଟି ରାଷ୍ଟ୍ର ସମର୍ଥନ କରିଥିବା ବେଳେ ୯ ଜଣ ବିରୋଧ କରିଛନ୍ତି। ଅପରପକ୍ଷେ, ଭାରତ ସମେତ ୧୪ଟି ଦେଶ ମତଦାନରୁ ବିରତ ରହିଛନ୍ତି। ତେବେ ମତଦାନ ଫଳାଫଳରୁ ତଦନ୍ତ ହେବା ନିଶ୍ଚିତ ହୋଇଥିବା ବେଳେ ତାହାକୁ ଇସ୍ରାଏଲ ସହଯୋଗ କରିବନି ବୋଲି ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ରୋକଠୋକ ଶୁଣାଇଛି। ତେବେ ମତଦାନ ପୂର୍ବରୁ ଏ ପ୍ରସଙ୍ଗର ଆଲୋଚନା ବେଳେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ବିରତି ଘୋଷଣାକୁ ଭାରତ ସ୍ବାଗତ କରିଛି ବୋଲି ଜଣାଇଛି।

ତେବେ ଜେରୁଜେଲମ୍‌ର ବିଶେଷ କରି ହରାମ୍‌ ଅଲ୍‌ ସରିଫ/ ଟେମ୍ପଲ୍‌ ମାଉଣ୍ଟ୍‌ ଓ ଅନ୍ୟାନ୍ୟ ପାଲେଷ୍ଟିନୀୟ ଇଲାକାରେ ଜାରି ରହିଥିବା ହିଂସା ଏବଂ ପୂର୍ବ ଜେରୁଜେଲମର ସେଖ୍‌ ଜରା ଓ ସିଲଵାନରେ ସମ୍ଭାବ୍ୟ ଉଚ୍ଛେଦ ପ୍ରକ୍ରିୟା ପାଇଁ ମଧ୍ୟ ଭାରତ ଚିନ୍ତା ପ୍ରକଟ କରିଥିବା ଜଣାଇଛି। ତେବେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହିଁ ସମସ୍ୟାର ସମାଧାନ କରିବ ବୋଲି ଭାରତର ସ୍ଥାୟୀ ପ୍ରତିନିଧି ଆଇ ଏମ୍‌ ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର