ପାକିସ୍ତାନୀ ‘ଫେକ୍ ନ୍ୟୁଜ୍ ଫ୍ୟାକ୍ଟ୍ରି’ ଉପରେ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ: ୩୫ ୟୁଟ୍ୟୁବ୍ ଚ୍ୟାନେଲ, ୨ ୱେବସାଇଟ୍ ବ୍ଲକ୍
ନୂଆଦିଲ୍ଲୀ: ଭାରତ ବିରୋଧୀ ମିଥ୍ୟା ଖବର ପ୍ରଚାର କରିବାରେ ଜଡିତ ଥିବା ପାକିସ୍ତାନର ୩୫ଟି ୟୁଟ୍ୟୁବ୍ ଆଧାରିତ ନ୍ୟୁଜ୍ ଚ୍ୟାନେଲ ଏବଂ ୨ଟି ୱେବସାଇଟ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଆଜି ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି।
ମନ୍ତ୍ରାଳୟ ଦ୍ୱାରା ବ୍ଲକ୍ ହୋଇଥିବା ୟୁଟ୍ୟୁବ୍ ଆକାଉଣ୍ଟରେ ମୋଟ ୧କୋଟି ୨୦ଲକ୍ଷରୁ ଅଧିକ ଗ୍ରାହକ ଆଧାର ଥିଲା ଏବଂ ସେମାନଙ୍କ ଭିଡିଓରେ ୧୩୦ କୋଟିରୁ ଅଧିକ ଭ୍ୟୁ ଥିଲା। ଏଥିସହ ଇଣ୍ଟରନେଟରେ ସମନ୍ଵିତ ଭାରତ ବିରୋଧୀ ଅପପ୍ରଚାରରେ ଜଡିତ ଥିବାରୁ ଦୁଇଟି ଟ୍ଵିଟର ଆକାଉଣ୍ଟ, ଦୁଇଟି ଇନଷ୍ଟାଗ୍ରାମ ଆକାଉଣ୍ଟ ଏବଂ ଗୋଟିଏ ଫେସବୁକ ଆକାଉଣ୍ଟକୁ ମଧ୍ୟ ସରକାର ବ୍ଳକ୍ କରିଛନ୍ତି।
ଏଥିରେ ୧୪ଟି ୟୁଟ୍ୟୁବ୍ ଚ୍ୟାନେଲ୍ ପରିଚାଳନା କରୁଥିବା ଆପ୍ନି ଦୁନିଆ ନେଟୱାର୍କ ଏବଂ ତାଲହା ଫିଲ୍ମସ୍ ନେଟୱାର୍କର ୧୩ ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଅନ୍ତର୍ଭୁକ୍ତ। ଏହି ସମସ୍ତ ନେଟୱାର୍କ ଭାରତୀୟ ଦର୍ଶକଙ୍କ ମଧ୍ୟରେ ମିଥ୍ୟା ଖବର ପ୍ରଚାର ପ୍ରସାର କରିବାର ଲକ୍ଷ୍ୟରେ ପରିଚାଳିତ ହେଉଥିଲା। ଏଥି ମଧ୍ୟରୁ କିଛି ୟୁଟ୍ୟୁବ୍ ଚ୍ୟାନେଲ ପାକିସ୍ତାନୀ ଟିଭି ନ୍ୟୁଜ୍ ଚ୍ୟାନେଲର ଆଙ୍କର୍ମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା।
ମନ୍ତ୍ରାଳୟ ଦ୍ୱାରା ଅବରୋଧ କରାଯାଇଥିବା ୟୁଟ୍ୟୁବ୍ ଚ୍ୟାନେଲ, ୱେବସାଇଟ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟକୁ ପାକିସ୍ତାନ ଭାରତ ବିରୋଧୀ ମିଥ୍ୟା ଖବର ପ୍ରଚାର ପାଇଁ ବ୍ୟବହାର କରୁଥିଲା। ଏଥିରେ ଭାରତୀୟ ସେନା, ଜମ୍ମୁ-କଶ୍ମୀର ଏବଂ ଅନ୍ୟ ଦେଶ ସହିତ ଭାରତର ବୈଦେଶିକ ସମ୍ପର୍କ ଭଳି ବିଷୟ ଅନ୍ତର୍ଭୁକ୍ତ ଥିଲା। ପୂର୍ବତନ ପ୍ରତିରକ୍ଷା ମୁଖ୍ୟ ସ୍ୱର୍ଗତ ଜେନେରାଲ ବିପିନ ରାୱତଙ୍କ ବିୟୋଗ ସମ୍ପର୍କରେ ଏହି ସବୁ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ବ୍ୟାପକ ମିଥ୍ୟା ଖବର ପ୍ରସାରିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ମଧ୍ୟ ଦେଶର ପାଞ୍ଚଟି ରାଜ୍ୟରେ ଆଗାମୀ ନିର୍ବାଚନରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିବା ପାଇଁ ବିଷୟବସ୍ତୁ ପୋଷ୍ଟ କରିବା ଆରମ୍ଭ କରିଥିଲେ।