ନୂଆଦିଲ୍ଲୀ : ଆମେରିକା ବିଦେଶ ବିଭାଗ ଦ୍ବାରା ଗୁରୁବାର ଦିନ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି ଏବଂ ଧର୍ମାନୁଷ୍ଠାନମାନଙ୍କରେ ଆକ୍ରମଣ ବଢ଼ୁଛି। ଭାରତ ଆମେରିକାର ଏହି ରିପୋର୍ଟକୁ କଡ଼ା ନିନ୍ଦା କରିଛି। ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଭାରତରେ ଧାର୍ମିକ ସ୍ବାଧୀନତା ନେଇ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହାକୁ କେନ୍ଦ୍ର ସରକାର କଡ଼ା ବିରୋଧ କରିଛନ୍ତି। ଆମେରିକା ପକ୍ଷପାତପୂର୍ଣ୍ଣ ମତାମତ ଏବଂ କୌଣସି ଭୁଲ୍ ସୂଚନା ଆଧାରରେ ଏଭଳି ଆକଳନ କରିବା ଉଚିତ ନୁହେଁ ବୋଲି ଭାରତ କହିଛି।
ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଅନ୍ତର୍ଜାତୀୟ ସମ୍ପର୍କରେ ଭୋଟ୍ ବ୍ୟାଙ୍କ୍ ରାଜନୀତି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବାଗ୍ଚି କହିଛନ୍ତି, ଏକ ସ୍ବାଭାବିକ ବହୁଳବାଦୀ ସମାଜ ଭାବେ ଭାରତ ଧାର୍ମିକ ସ୍ବାଧୀନତା ଏବଂ ମାନବ ଅଧିକାରକୁ ଗୁରୁତ୍ବ ଦେଉଛି। ଆମେରିକା ସହ ଆମର ଆଲୋଚନାରେ ଆମେ ନିୟମିତ ଭାବେ ସେଠାକାର ଚିନ୍ତାଜନକ ବିଷୟ ଉଠାଇଥାଉ। ଆମେରିକାରେ ରଙ୍ଗଭେଦ ହିଂସା, ଘୃଣା ଅପରାଧ ଏବଂ ବନ୍ଧୁକ ହିଂସା ବଢ଼ୁଥିବାରୁ ଆମେ ଏନେଇ ଆମେରିକାକୁ ଉଦ୍ବେଗ ଜଣାଇ ସାରିଛୁ ବୋଲି ବାଗ୍ଚି କହିଛନ୍ତି।
ଆମେରିକାର ରିପୋର୍ଟ ଅନୁଯାୟୀ ଭାରତରେ ୨୦୨୧ ବର୍ଷ ସାରା ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ଉପରେ ଆକ୍ରମଣ ବଢ଼ିଛି। ବର୍ଷସାରା ହତ୍ୟା , ଆକ୍ରମଣ ଏବଂ ଧମକ ଖବର ରହିଛି। ଗୋହତ୍ୟା ମାମଲାରେ ଏବଂ ଗୋ ଚାଲାଣ ପାଇଁ ଅଣ ହିନ୍ଦୁଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ଆମେରିକାର ରିପୋର୍ଟରେ କୁହାଯାଇଛି। ବ୍ଲିଙ୍କେନ୍ କହିଛନ୍ତି ରିପୋର୍ଟ ଅନୁଯାୟୀ ବିଶ୍ବବ୍ୟାପୀ ଧାର୍ମିକ ସ୍ବାଧୀନତା ଏବଂ ଧାର୍ମିକ ସମ୍ପ୍ରଦାୟ ଅଧିକାର ବିପଦରେ ରହିଛି। ଉଦାହରଣ ସ୍ବରୂପ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଥିବା ଭାରତରେ ଲୋକଙ୍କ ଉପରେ ଏବଂ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ବଢ଼ୁଛି। ଅନ୍ୟ ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, କିଛି ଭାରତୀୟ ଅଧିକାରୀ ମଧ୍ୟ ଧାର୍ମିକ ଆକ୍ରମଣ ମାମଲାକୁ ସମର୍ଥନ କରୁଛନ୍ତି।