ଖଲୀସ୍ତାନୀ ସମର୍ଥକ ପ୍ରତିବାଦ ବେଳେ ସୁରକ୍ଷା ତ୍ରୁଟି ପାଇଁ କୈଫିୟତ୍‌ ମାଗି କାନଡା ରାଷ୍ଟ୍ରଦୂତଙ୍କୁ ଡକାଇଲା ଭାରତ

ନୂଆଦିଲ୍ଲୀ: କାନଡାରେ ଥିବା ଭାରତର କୂଟନୈତିକ ମିସନ୍‌ ଓ କନ୍‌ସୁଲେଟ୍‌ମାନଙ୍କରେ ନିକଟ ଅତୀତରେ ବିଚ୍ଛିନ୍ନତାବାଦୀ ଓ ଚରମପନ୍ଥୀମାନଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ ଗଭୀର ଉଦ୍‌ବେଗ ପ୍ରକାଶ କରି ଭାରତ କାନଡୀୟ ହାଇକମିସନ୍‌ଙ୍କୁ ସମନ ଜାରି କରିଛି।

କାନଡାସ୍ଥିତ ଭାରତୀୟ ମିସନ୍‌ରେ ନିରାପତ୍ତାରେ ଦେଖା ଦେଇଥିବା ତ୍ରୁଟି ଓ ପୁଲିସ ଫୋର୍ସ ଥାଇ ସୁଦ୍ଧା ଚରମପନ୍ଥୀମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ଭାରତ ସରକାର ଶନିବାର ଦିନ କାନଡାକୁ କୈଫିୟତ୍‌ ମାଗିଛନ୍ତି।

‘ଭିଏନା କନ୍‌ଭୋକେସନ୍‌’ ଅନୁଯାୟୀ ଦାୟିତ୍ବ ନିର୍ବାହ କଥା ଜାରି କରିଥିବା ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କାନଡାକୁ ସ୍ମରଣ କରାଇ ଦେଇଛି। ତା’ଛଡ଼ା, ଏଭଳି କାର୍ଯ୍ୟକଳାପରେ ଜଡ଼ିତ ଥିଲେ ବୋଲି ଚିହ୍ନଟ ହୋଇସାରିଥିବା ବ୍ୟକ୍ତିମାନଙ୍କୁ ଗିରଫକରି ତାଙ୍କର ବିଚାର କରିବା ଲାଗି ମଧ୍ୟ ଭାରତ କାନଡାକୁ କହିଛି।

Image Courtesy of India Today

ଭାରତର ବୈଦେଶିକ ମନ୍ତ୍ରାଳୟ ଆଶା କରିଛି ଯେ, ତା’ର କୂଟନୀତିଜ୍ଞମାନଙ୍କର ନିରାପତ୍ତା ଓ ଦୂତାବାସ ପରିସରର ସୁରକ୍ଷା ପାଇଁ କାନଡା ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବ।

ସୂଚନାଯୋଗ୍ୟ, ଖଲିସ୍ତାନ ସମର୍ଥକମାନେ ଭୀଷଣ ପ୍ରତିବାଦ କରିବାରୁ ନିରାପତ୍ତା ଉଲ୍ଲଂଘନ ଆଶଙ୍କାରେ ଗତ ରବିବାର ଦିନ ବ୍ରିଟିସ୍‌ କଲମ୍ବିଆ ପ୍ରଦେଶରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କାନଡାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଯୋଗ ଦେଲେ ନାହିଁ। ପ୍ରଥମ କରି ପଶ୍ଚିମ ଉପକୂଳ ଗସ୍ତରେ ଯିବାକୁ ଥିବା ଭାରତର ହାଇକମିସନର୍‌ ସଞ୍ଜୟ କୁମାର ବର୍ମାଙ୍କୁ ସ୍ବାଗତ କରିବା ଲାଗି ‘ତାଜ୍‌ ପାର୍କ କନ୍‌ଭେନ୍‌ସନ୍‌ ସେଣ୍ଟର୍‌ ସରେ’ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥି‌ଲା।

ଶେଷରେ ସୁରକ୍ଷା ବିପନ୍ନ ହେବା ଆଶଙ୍କାରେ ଉକ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା କଥା ‘ଗ୍ଲୋବାଲ୍‌ ନିଉଜ୍‌’ ରିପୋର୍ଟ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ସମୀର୍‌ କୌଶଲ୍‌ ପ୍ରତିବାଦକାରୀଙ୍କ ଆକ୍ରମଣର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର