ପାକିସ୍ତାନରେ ୩ ହିନ୍ଦୁ ନାବାଳିକାଙ୍କ ଅପହରଣ, ଦୃଢ଼ ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ନାବାଳିକା ଝିଅମାନଙ୍କୁ ଅପହରଣ କରାଯାଉଥିବାରୁ ଭାରତ ପାକିସ୍ତାନ ନିକଟରେ ପ୍ରତିବାଦ ଜଣାଇଛି । ଶୁକ୍ରବାରଦିନ ଭାରତର ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ହାଇ-କମିଶନରଙ୍କୁ ଡକାଇ ଏ ପ୍ରସଙ୍ଗରେ ନିଜର ଅସନ୍ତୋଷ ଜଣାଇଛି ।

ଗତ ଜାନୁଆରି ୧୪ରେ ପାକିସ୍ତାନ ସିନ୍ଧ ପ୍ରଦେଶର ଥରପାରକର ଜିଲ୍ଲାର ଦୁଇଜଣ ହିନ୍ଦୁ ସଂଖ୍ୟାଲଘୁ ନାବାଳିକା ଶାନ୍ତି ମେଘଓ୍ଵାଡ ଓ ସର୍ମି ମେଘଓ୍ଵାଡଙ୍କୁ ଅପହରଣ କରାଯାଇଥିଲା । ସେହିପରି ଜାନୁଆରି ୧୫ରେ ଆଉ ଜଣେ ହିନ୍ଦୁ ନାବାଳିକା ମେହେକକୁ ସିନ୍ଧର ଜାକୋବାବାଦ ଜିଲ୍ଲାରୁ ଅପହରଣ କରାଯାଇଥିଲା ।

ପାକିସ୍ତାନରେ ହିନ୍ଦୁ ଝିଅମାନଙ୍କ ଉପରେ ହେଉଥିବା ଏପରି ଅତ୍ୟାଚାରକୁ ନେଇ ଭାରତରେ ଚିନ୍ତା ପ୍ରକଟ କରାଯାଉଛି ବୋଲି ଭାରତ ସରକାର ପାକିସ୍ତାନକୁ ଜଣାଇଦେଇଛନ୍ତି । ପୂର୍ବରୁ ମଧ୍ୟ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଭାରତ ପାକିସ୍ତାନ ନିକଟରେ ପ୍ରତିବାଦ ଜଣାଇଛି ।

ଗତ ଡିସେମ୍ବରରେ ଗୃହୀତ ହୋଇଥିବା ଭାରତର ନାଗରିକତା (ସଂଶୋଧନ) ଆଇନରେ ପାକିସ୍ତାନର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନଙ୍କୁ ଭାରତର ନାଗରିକତା ଦେବାର ବ୍ୟବସ୍ଥା ରହିଛି । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର