୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ନିପାତ କଲାପରେ ପାକ୍‌ ଅଧିକାରୀଙ୍କୁ ସମନ୍‌ କଲା ଭାରତୀୟ ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ନାଗ୍ରୋଟାଠାରେ ଗୁରୁବାର ହୋଇଥିବା ଏନକାଉଣ୍ଟରରେ ଚାରିଜଣ ସନ୍ଦିଗ୍ଧ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ନିହତ କରିବା ପରେ ଭାରତ ଆଜି ପାକିସ୍ତାନ ହାଇ କମିଶନଙ୍କ ଚାର୍ଜ ଡି’ଅଫେୟାରର୍ସଙ୍କୁ ସମନ କରିଛି। ଆତଙ୍କବାଦ ଭିତ୍ତିଭୂମି ଭାଙ୍ଗିବାବେଳେ ପାକିସ୍ତାନ ନିଜ ଅଞ୍ଚଳରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ତଥା ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ ବନ୍ଦ କରିବାକୁ ଦାବି କରି ଭାରତର ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ନିକଟରେ ଦୃଢ଼ ଦାବୀ କରିଛି।
ସୂତ୍ରରୁ ପ୍ରକାଶ ଯେ ଇସଲାମାବାଦ ଏହାର ଆନ୍ତର୍ଜାତୀୟ ଦାୟିତ୍ୱ ଏବଂ ଦ୍ୱିପାକ୍ଷିକ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏହାର ନିୟନ୍ତ୍ରଣରେ ଥିବା କୌଣସି ଅଞ୍ଚଳକୁ ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟପଳାପ ପାଇଁ ବ୍ୟବହାର ନ କରିବାକୁ ନୂଆଦିଲ୍ଲୀ ଦାବି କରିଛି।

ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳେ ନାଗ୍ରୋଟା ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସୁରକ୍ଷା ବାହିନୀ ସହ ତିନି ଘଣ୍ଟିଆ ଏନକାଉଣ୍ଟର ସମୟରେ ଟ୍ରକରେ ଲୁଚି ରହିଥିବା ଚାରିଜଣ ସନ୍ଦିଗ୍ଧ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା। ଗୁଳି ବିନିମୟରେ ଦୁଇ ଜଣ ପୁଲିସ ଆହତ ହୋଇଥିଲେ ଏବଂ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଥିଲେ। ପୁଲିସ କହିଛି ଯେ ସମ୍ଭବତଃ ଜୈଶର ଆତଙ୍କବାଦୀମାନେ ଏକ ବଡ ଆକ୍ରମଣ ଯୋଜନା କରୁଛନ୍ତି ଏବଂ ସେମାନେ କଶ୍ମୀର ଉପତ୍ୟକା ଆଡକୁ ମୁହାଁଇଛନ୍ତି ଯେଉଁଠାରେ ସ୍ଥାନୀୟ ନିର୍ବାଚନ ଚଳିତ ମାସ ଶେଷ ସୁଦ୍ଧା ହେବ।
ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସମନ କରିଛନ୍ତି। ଗତ ଶନିବାର ଦିନ ଜମ୍ମୁ- କାଶ୍ମୀରର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ପାକିସ୍ତାନୀ ସୈନ୍ୟଙ୍କ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ଭାରତ ପାକିସ୍ତାନ ହାଇକମିଶନଙ୍କ ଚାର୍ଜ ଡି’ଆଫେୟାରର୍ସଙ୍କୁ ମଧ୍ୟ ସମନ କରିଥିଲା।

ସମ୍ବନ୍ଧିତ ଖବର