୧୨୦ଟି ଦେଶକୁ ପାରାସିଟାମଲ, ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଇଛି ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ହିଁ ଭାରତ ସମଗ୍ର ବିଶ୍ୱ ପ୍ରତି ନିଜର ଦାୟିତ୍ୱକୁ ଭୁଲିନାହିଁ । ଗତ ଦୁଇ ମାସରେ ଭାରତ ବିଶ୍ୱର ୧୨୦ଟି ଦେଶକୁ ପାରାସିଟାମୋଲ ଓ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଇଛି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ।

କରୋନାର ଚିକିତ୍ସା ପାଇଁ ଏସବୁ ଔଷଧ ଗୁଡ଼ିକ ଉପଯୋଗୀ ହେଉଥିବାରୁ ଏସବୁ ଔଷଧର ଚାହିଦା ସାରା ବିଶ୍ୱରେ ବଢିଯାଇଛି । ଏଥିପାଇଁ ବିଭିନ୍ନ ଦେଶ ଭାରତକୁ ଏଗୁଡ଼ିକର ଯୋଗାଣ ପାଇଁ ଅନୁରୋଧ କରିଥିଲେ । ଯେଉଁ ଦେଶମାନଙ୍କ ଭାରତ ଏସବୁ ଔଷଧ ଯୋଗାଇଛି ସେଗୁଡ଼ିକ ମଧ୍ୟରେ ରହିଛନ୍ତି ଆମେରିକା, ଇଟାଲି, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ପରି ବିକଶିତ ଦେଶ । କିନ୍ତୁ କେବଳ ଧନୀ ଦେଶ ନୁହେଁ, ଗରିବ ଦେଶମାନଙ୍କୁ ମଧ୍ୟ ମାଗଣାରେ ଯୋଗାଇଛି । ୧୨୦ଟି ଦେଶ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଦେଶଙ୍କୁ ଅନୁଦାନ ଆକାରରେ ଏହି ଔଷଧ ଦିଆଯାଇଛି ବୋଲି ସେ କହିଛନ୍ତି ।
ତେବେ ସାରା ବିଶ୍ୱକୁ ଯୋଗାଇବା ପୂର୍ବରୁ ଦେଶ ଭିତରେ ଏସବୁ ଔଷଧର ଉପଲବ୍ଧତାକୁ ସୁନିଶ୍ଚିତ କରାଯାଇଥିଲା । ଭାରତରେ କରୋନା ସଂକ୍ରମଣ ଜଟିଳ ହେଲେ ଦେଶର ବର୍ଦ୍ଧିତ ଚାହିଦାକୁ ମଧ୍ୟ ଧ୍ୟାନ ରଖାଯାଇଥିଲା ।

ସମ୍ବନ୍ଧିତ ଖବର