କାଠମାଣ୍ଡୁ: କରୋନା ମହାମାରୀ ମଧ୍ୟରେ ଭାରତ ଆଜି ନେପାଳକୁ ସହାୟତାର ହାତ ବଢ଼ାଇଛି ଏବଂ ୨୮ ନିୟୁତ ଟଙ୍କାର ୧୦ଟି ଭେଣ୍ଟିଲେଟର ଦେଇଛି। ସେନା ମୁଖ୍ୟାଳୟର ଗ୍ରାଣ୍ଡ୍ ହଲ୍ରେ ଆୟୋଜିତ ଏକ ଉତ୍ସବରେ ନେପାଳକୁ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ବାତ୍ରାଙ୍କ ଦ୍ବାରା ସିଓଏଏସ୍ (ଚିଫ୍ ଅଫ୍ ଦି ଆର୍ମି ଷ୍ଟାଫ୍) ଜେନେରାଲ୍ ପୂର୍ଣ୍ଣ ଚନ୍ଦ୍ର ଥାପାଙ୍କୁ ୧୦ ଟି ଭେଣ୍ଟିଲେଟର ହସ୍ତାନ୍ତର କରାଯାଇଛି। ଦୂତାବାସ ପକ୍ଷରୁ ଜାରି ଏକ ବିବୃତିରେ ଏହା କୁହାଯାଇଛି ଯେ, ଏହି ଭେଣ୍ଟିଲେଟର ଗୁଡ଼ିକ ଅତ୍ୟନ୍ତ ଉନ୍ନତ ମାନର। ଏଗୁଡ଼ିକୁ ଆଇସିୟୁ ସହ ତୃତୀୟ ମଲ୍ଟି ସ୍ପେସାଲିଟି ହସ୍ପିଟାଲ୍ ଏବଂ ଡେଡିକେଟେଡ୍ ଆଇସିୟୁରେ ବ୍ୟବହାର କରାଯିବ। ଏହି ଭେଣ୍ଟିଲେଟରଗୁଡ଼ିକୁ ଖୁବ୍ ସହଜରେ ସ୍ଥାନାନ୍ତର କରିହୁଏ ।
ଆଇସିୟୁ ସୁବିଧା ଆବଶ୍ୟକ କରୁଥିବା ରୋଗୀମାନଙ୍କର ସ୍ଥାନାନ୍ତର ସମୟରେ ଏହାର ବ୍ୟବହାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଉଲ୍ଲେଖଯୋଗ୍ୟ ଭାରତ ସଦା ସର୍ବଦା ମାନବିକତା ଦୃଷ୍ଟିକୋଣରୁ କୌଣସି ସଙ୍କଟ ପଡ଼ିଥିବା ସମୟରେ ନେପାଳ ସେନାକୁ ପ୍ରଥମେ ସହଯୋଗ କରିଥାଏ। ଦୁଇ ରାଷ୍ଟ୍ରର ସେନା ମଧ୍ୟରେ ଏକ ମାନବୀୟ ସହଯୋଗର ଅଂଶବିଶେଷ ପୂର୍ବକ ଏହି ଭେଣ୍ଟିଲେଟର ଉପହାର ସ୍ବରୂପ ଦିଆଯାଇଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ତେବେ କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତ ନେପାଳର ଲୋକମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି ରାଷ୍ଟ୍ରଦୂତ କ୍ବାତ୍ରା କହିଛନ୍ତି।