ନୂଆଦିଲ୍ଲୀ: ଯେସା କୁ ତେସା… ଯେମିତି ବନ୍ଧୁ ନାଁରେ ବଇରୀ ସାଜିଲା ଆମେରିକା ଆଉ ଡୋନାଲ୍ଡ କଷିଲେ ଡବଲ ଟାରିଫ ଠିକ୍ ସେମିତି ଆମେରିକାକୁ ଜବାବ ଦେବାକୁ ଯାଇ ଆକ୍ସନ ନେବା ଆରମ୍ଭ କରିଛି ଭାରତ । ପ୍ରାରମ୍ଭିକ ପର୍ଯ୍ଯାୟରେ ଡାକ ସେବା ବନ୍ଦ କରି ଭାରତ ଜବାବ ଦେବା ଆରମ୍ଭ କରିଥିବା ବେଳେ ଆମେରିକାକୁ ଯାଉଥିବା ସମସ୍ତ ଡାକସେବାକୁ ରଦ୍ଦ କରାଯାଇଛି । ମେଲ୍, ଚିଠି, ଉପହାର, ଡକ୍ୟୁମେଣ୍ଟ ଭଳି ସବୁ ପ୍ରକାରର ସେବାକୁ ବନ୍ଦ କରିଛି ଭାରତ ।
ଆମେରିକାକୁ ଡାକସେବା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଡାକ ବିଭାଗ ସ୍ଥଗିତ ରଖିଛି। ଗତମାସ ୨୨ ତାରିଖରେ ଡାକ ବିଭାଗ ପକ୍ଷରୁ ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ ପାର୍ସଲ ଜାରି ରହିବ ବୋଲି କୁହାଯାଇଥିଲା । କିନ୍ତୁ ଏବେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଛି । ଫଳରେ ଏବେ ଚିଠି, ଦସ୍ତାବିଜ୍ ଏବଂ ୧୦୦ ଡଲାର ମୂଲ୍ୟ ପର୍ଯ୍ୟନ୍ତ ଉପହାର ସାମଗ୍ରୀ ମଧ୍ୟ ପଠାଯାଇ ପାରିବ ନାହିଁ। ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିବୃତି ଜାରି କରାଯାଇଛି।
ତେବେ ଉକ୍ତ ଚିଠିରେ କୁହାଯାଇଛି ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଖୁବ୍ଶୀଘ୍ର ସେବା ପୁନଃଆରମ୍ଭ ନେଇ ଉଦ୍ୟମ କରାଯାଉଛି। ଯେଉଁ ଗ୍ରାହକ ପୂର୍ବରୁ ସାମଗ୍ରୀ ପଠାଇବା ପାଇଁ ବୁକ୍ କରିଛନ୍ତି ଏବଂ ତାହାକୁ ପ୍ରେରଣ କରାଯାଇ ନାହିଁ ସେ ବାବଦ ରାଶି ଫେରସ୍ତ ଦାବି କରିପାରିବେ।
ଗୋଟେପଟେ ବଢିଚାଲିଛି ଆମେରିକାର ଦାଦାଗିରି । ଟ୍ରମ୍ପଙ୍କ ଟାରିଫ ଟାର୍ଗେଟ୍ ବିରୋଧରେ ଏକାଠି ହେଉଛନ୍ତି ଅନେକ ରାଷ୍ଟ୍ର । ଆମେରିକାର ଶୁଳ୍କ ଚାପରେ ଅନେକ ଅଣନିଶ୍ବାସୀ ହୋଇ ସ୍ବର ଉଠାଉଥିବା ବେଳେ ଏବେ ଚୀନର ଛାତି ଉପରେ ଟ୍ରମ୍ପଙ୍କ ବିରୋଧରେ ଏକାଠି ହୋଇଛନ୍ତି ତ୍ରିଶକ୍ତି । ଭାରତ-ଚୀନ-ରୁଷ । ଏହି ରାଷ୍ଟ୍ରର ଶୀର୍ଷ ନେତୃତ୍ବ ଟ୍ରମ୍ପଙ୍କୁ ଚେକ୍ ଦେବାକୁ ବଡ ଯୋଜନା ପ୍ରସ୍ତୁତ କରି ପାରନ୍ତି ବୋଲି କୁହାଯାଉଛି ।