ନୂଆଦିଲ୍ଲୀ: ଭାରତ ଓ କାନାଡ଼ା ଭିତରେ ଚାଲିଥିବା କୂଟନୈତିକ ବିବାଦ ପରିପ୍ରେକ୍ଷୀରେ ଭାରତ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାନାଡ଼ା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଘୋଷଣା କରିଛି। ଅନଲାଇନ ଭିସା ଆବେଦନ କେନ୍ଦ୍ର ବିଏଲ୍‌ଏସ୍‌ ଇଣ୍ଟରନ୍ୟାସନାଲ ଏହାର ୱେବ୍‌ସାଇଟ୍‌ରେ ଜାରି କରିଥିବା ନୋଟିସ ଅନୁସାରେ, ଭାରତୀୟ ମିସନର ନିର୍ଦ୍ଦେଶକ୍ରମେ ଅପରେସନାଲ କାରଣରୁ ସେପ୍ଟେମ୍ବର ୨୧ ଗୁରୁବାରଠାରୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାନାଡ଼ା ନାଗରିକଙ୍କ ପାଇଁ ଭାରତୀୟ ଭିସା ସେବାକୁ ସ୍ଥଗିତ ରଖାଯାଇଛି।

Advertisment

ଗତ ଜୁନ ମାସରେ କାନାଡ଼ାର ସୁରେଠାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ଘଟଣାରେ ଭାରତୀୟ ଏଜେନ୍ସିର ସମ୍ଭାବ୍ୟ ସମ୍ପୃକ୍ତି ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ଭାରତ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ସୋମବାର କାନାଡ଼ା ସଂସଦରେ ଉଦ୍‌ବୋଧନ ଦେବା ବେଳେ ଟ୍ରୁଡୋ କହିଥିଲେ ଯେ, କାନାଡ଼ାର ନାଗରିକ ତଥା ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ୍‌) ମୁଖ୍ୟ ହରଦୀପ ସିଂହ ନିଜାରକୁ ଗୁଳିକରି ହତ୍ୟା କରାଯିବା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ରହିଛି। ତାଙ୍କ ଦେଶର ସୁରକ୍ଷା ଅଧିକାରୀମାନେ ଏହା ବିଶ୍ବାସ କରିବା ପଛରେ ଯୁକ୍ତିଯୁକ୍ତ କାରଣ ରହିଛି। ତେବେ ଭାରତ ଏହି ଦାବିକୁ ଅଗ୍ରାହ୍ୟ କରିଛି। ଭାରତ କହିଛି ଟ୍ରୁଡୋଙ୍କ ଏଭଳି ଦାବି ମିଥ୍ୟା ଓ ଉଦ୍ଦେଶ୍ୟମୂଳକ। ଏହା ସପକ୍ଷରେ କୌଣସି ପ୍ରମାଣ ନାହିଁ।