୪ କରୋନା ଆକ୍ରାନ୍ତ ଦେଶର ନାଗରିକଙ୍କୁ ଜାରି ହୋଇଥିବା ଭିସା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଭାରତ ସମେତ ଅନେକ ଦେଶରେ ମାରାତ୍ମକ କରୋନାଭାଇରସ୍‌ ବ୍ୟାପିବାରେ ଲାଗିଛି। ଏଭଳି ପରିସ୍ଥିତିରେ  ୪ଟି ଦେଶର ନାଗରିକଙ୍କୁ ଜାରି କରାଯାଇଥିବା ଭିସାକୁ ଭାରତ ସରକାର ରଦ୍ଦ କରି ଦେଇଛନ୍ତି। ମାର୍ଚ୍ଚ ୩  କିମ୍ବା ଏହା ପୂର୍ବରୁ ଇଟାଲୀ, ଇରାନ୍, ଦକ୍ଷିଣ କୋରିଆ ଓ ଜାପାନର ନାଗରିକଙ୍କୁ  ଜାରି କରାଯାଇଥିବା ନିୟମିତ ଭିସା/ ଇ-ଭିସାକୁ ତତ୍କାଳ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ଯେଉଁମାନେ ଏଯାବତ  ଭାରତରେ ପ୍ରବେଶ କରି ନାହାନ୍ତି ଏହା ସେମାନଙ୍କ ଲାଗି ଲାଗୁ ହୋଇଛି। ଏଥିସହ ଏହି ୪ ଦେଶର ଯେଉଁ ନାଗରିକଙ୍କର ଭାରତ ଆସିବା ଅତ୍ୟନ୍ତ ଜରୁରୀ ଥିବ ସେମାନେ ନିଜ ଦେଶର ଭାରତୀୟ ଦୂତାବାସରେ ଭିସା ଲାଗି ଆବେଦନ କରିବେ।

ଭାରତ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନରୁ ଏହିସବୁ ଦେଶର କୂଟନୀତିଜ୍ଞ, ଜାତିସଂଘର କର୍ମଚାରୀ ଓ ଅନ୍ତର୍ଜାତୀୟ ଉଡାଣ କରୁଥିବା ବିମାନ ପରିବହନ ସଂସ୍ଥା କର୍ମଚାରୀଙ୍କୁ ବାଦ ଦିଆଯାଇଛି। ମାତ୍ର ଏମାନେ ଭାରତକୁ ଆସିବା ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ବ‌ାଧ୍ୟତାମୂଳକ ହୋଇଛି।

ତେବେ ଏହା ପୂର୍ବରୁ ଚାଇନା ନାଗରିକଙ୍କ ଯେଉଁ ଭିସା ରଦ୍ଦ କରାଯାଇଥିଲା ତାହା ବଳବତ୍ତର ରହିଛି।  ସେହିପରି ଚାଇନା, ଦକ୍ଷିଣ କୋରିଆ, ଜାପାନ, ଇରାନ୍‌, ଇଟାଲୀ, ହଂକଂ, ଭିଏତନାମ୍, ଇଣ୍ଡୋନେସିଆ, ନେପାଳ, ଥାଇଲ୍ୟାଣ୍ଡ, ସିଙ୍ଗାପୁରରୁ ଆସୁଥିବା ଭାରତୀୟ ଓ ଅଣଭାରତୀୟଙ୍କ ବିମାନବନ୍ଦରରେ ପ୍ରବେଶ ପୂର୍ବରୁ ସ୍ୱାସ୍ଥ୍ୟପରୀକ୍ଷା କରିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି।

ଦେଶରେ ଗତକାଲି ୩ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ଆଉ ୨ଜଣ କରୋନା ଭାଇରସ୍‌ ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯିବା ଘଟଣା ଦେଶରେ ଏବେ ଭୟର ଏକ ବାତାବରଣ ସୃଷ୍ଟି କରିଛି। କାରଣ ଚୀନ୍‌ର ଉହାନ୍‌ରେ ପ୍ରକଟ ହୋଇଥିବା ଏହି କରୋନା ଭାଇରସ୍‌ ଏବେ ବିଶ୍ୱର ୬୦ଟି ରାଷ୍ଟ୍ରକୁ ବ୍ୟାପିଯିବା ସହ ୯୦,୦୦୦ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୩୦୦୦ରୁ ଅଧିକ ଜୀବନ ନେଇ ସାରିଲାଣି।

 4
https://www.livehindustan.com/

ଏହି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କରୋନା ଭାଇରସ୍‌କୁ ନେଇ କୌଣସି ଭାରତୀୟ କୌଣସି ପ୍ରକାରର ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। ଦେଶବାସୀଙ୍କୁ ସୂଚୀତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଭାଇରସ୍‌ର ମୁକାବିଲା ପାଇଁ ଆମର ପ୍ରସ୍ତୁତିକୁ ନେଇ ସମସ୍ତ କ୍ୟାବିନେଟ ସହଯୋଗୀ ଓ ସମସ୍ତ ରାଜ୍ୟ ସରକାରମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଳୋଚନା କରି ସବୁ ସ୍ତରରୁ ସ୍ଥିତିର ସମୀକ୍ଷା ସେ କରି ସାରିଛନ୍ତି। ତେଣୁ ଏଥିପାଇଁ କେହି ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ।

ସମ୍ବନ୍ଧିତ ଖବର