ତାଲିବାନକୁ ଭେଟିଲା ଭାରତୀୟ ପ୍ରତିନିଧି ମଣ୍ଡଳ

କାବୁଲ :  ଭାରତର ଏକ ସରକାରୀ ପ୍ରତିନିଧି ମଣ୍ଡଳ ଗୁରୁବାରଦିନ ଆଫଗାନିସ୍ତାନ ରାଜଧାନୀ କାବୁଲଠାରେ ତାଲିବାନର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ଭେଟିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଜେପି ସିଂଙ୍କ ନେତୃତ୍ବରେ ଏହି ଭାରତୀୟ ପ୍ରତିନିଧି ମଣ୍ଡଳ ତାଲିବାନ ସହ ଆଲୋଚନା କରିଛି ।

ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ଦ୍ବାରା ଆଫଗାନିସ୍ତାନ ଅଧିକାର ପରେ ପ୍ରଥମ ଥର ପାଇଁ ଭାରତର ଏକ ସରକାରୀ ପ୍ରତିନିଧି ମଣ୍ଡଳ ତାଲିବାନ ସହ ଆଲୋଚନା କରିଛି । ତାଲିବାନ ପକ୍ଷରୁ ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଅମିର ଖାଁ ମୁତାକି ଆଲୋଚନା କରିଥିଲେ ।

ଆଲୋଚନା ବେଳେ ଆଫଗାନିସ୍ତାନର ପୁନର୍ନିର୍ମାଣ, ଭାରତର ମାନବୀୟ ସହାୟତା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ତେବେ ଆତଙ୍କବାଦ ଓ ନିଶାକାରବାର ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି କି ନା ସଂପର୍କରେ ସ୍ପଷ୍ଟ ହୋଇପାରିନାହିଁ ।

ନିକଟରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦର ତାଲିମ ଶିବିର ଚାଲିଛି ଓ ସେଗୁ଼ଡ଼ିକ ତାଲିବାନ ନିୟନ୍ତ୍ରଣରେ ରହିଛି ।

ଗତ ସପ୍ତାହରେ ଏକ ଭାରତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି କହିଥିଲେ ଆଫଗାନିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚୋରାଚାଲାଣ ପାଇଁ ଆମେରିକା ଦାୟୀ ।  ମାତ୍ର ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ନିଶାଦ୍ରବ୍ୟ ଉତ୍ପାଦନ ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଲଗାଯାଇଛି । ଫଳରେ ଏବେ ନୂଆ ନିଶାଦ୍ରବ୍ୟ ଉତ୍ପାଦନ ହେଉନାହିଁ ଓ ଯାହାକିଛି ବଳକା ଥିବ ସେଗୁଡ଼ିକ ବୋଧହୁଏ ଭାରତ ଓ ଅନ୍ୟଦେଶକୁ ଚୋରାଚାଲାଣ ହେଉଥିବ। କିନ୍ତୁ ସେଗୁଡ଼ିକ ବି ଖୁବଶୀଘ୍ର ବନ୍ଦ ହୋଇଯିବ ।

ସମ୍ବନ୍ଧିତ ଖବର