ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କଲା ଭାରତ : ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବା ଦେଶକୁ ଉତ୍ତରଦାୟୀ କରାଯିବା ଉଚିତ୍

ମିଳିତ ଜାତିସଂଘ : ଆଫ୍ରିକା ଓ ଏସିଆର ଅଞ୍ଚଳରେ ଆତଙ୍କବାଦ ବ୍ୟାପିବା ନେଇ ଭାରତ ଚିନ୍ତା ପ୍ରକଟ କରିଛି। ପାକିସ୍ତାନ ଉପରେ ପରୋକ୍ଷ ଆକ୍ରମଣ କରି ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶଗୁଡ଼ିକୁ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତରଦାୟୀ କରାଯିବା ଉଚିତ୍ ।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି, ଆତଙ୍କବାଦର ବିପଦ ଗମ୍ଭୀର ଓ ବାସ୍ତବ। ଦୁଃଖର ବିଷୟ ଯେ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ପାଇଁ ଉତ୍କୃଷ୍ଟ ପ୍ରୟାସ ସତ୍ତ୍ୱେ, ବିଶେଷକରି ଆଫ୍ରିକା ଏବଂ ଏସିଆରେ ଏହା ବ୍ୟାପିବାରେ ଲାଗିଛି।

ମଙ୍ଗଳବାର ଜାତିସଂଘ ଆତଙ୍କବାଦ ନିରୋଧୀ କାର୍ଯ୍ୟାଳୟର ରାଷ୍ଟ୍ରଦୂତ ସ୍ତରୀୟ ସମ୍ମିଳନୀରେ କାମ୍ବୋଜ କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟର ନିରନ୍ତର ଏବଂ ବହୁମୁଖୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଆତଙ୍କବାଦର ବିପଦର ମୁକାବିଲା କରାଯାଇପାରିବ। ଆତଙ୍କବାଦ ର ବିପଦର ମୁକାବିଲା କରିବା ପାଇଁ ସାମର୍ଥ୍ୟ ନଥିବା ଦେଶଗୁଡ଼ିକୁ ସାହାଯ୍ୟ କରାଯିବା ଉଚିତ, କିନ୍ତୁ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶଗୁଡ଼ିକ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତରଦାୟୀ ହେବା ଦରକାର ବୋଲି ସେ ପାକିସ୍ତାନକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରି କହିଛନ୍ତି ।

ଆତଙ୍କବାଦର ପ୍ରସାର ଏକ ଚିନ୍ତାଜନକ ଘଟଣା ବୋଲି ବର୍ଣ୍ଣନା କରି କାମ୍ବୋଜ କହିଛନ୍ତି ଯେ ବିଭାଜନକାରୀ ଆଲୋଚନାକୁ ଅଣଦେଖା କରାଯିବା ଉଚିତ୍ । ଆମେ ଆତଙ୍କବାଦର ବର୍ଗୀକରଣରୁ ଦୂରେଇ ରହିବା ଉଚିତ ।

ସମ୍ବନ୍ଧିତ ଖବର