ଜାରି ରହିବ ଆକ୍ରମଣ, ଟାର୍ଗେଟ୍‌ରେ ଆତଙ୍କବାଦୀ ଶିବିର

ନୂଆଦିଲ୍ଲୀ : ଭାରତ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଉପରେ ଆକ୍ରମଣ ଜାରି ରହିବ। ତିନି ସେନାର ମୁଖ୍ୟ ଆଜି ଏଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ମେଜର ଜେନେରାଲ ସୁରିନ୍ଦର ସିଂହ ବେହାଲ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ‌ପ୍ରଶ୍ରୟ ଦେଉଥିବା ପର୍ଯ୍ୟନ୍ତ ଆମେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଆଡ଼ା ଧ୍ବଂସ କରିବୁ। ଭାରତର ସେନା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଉଦ୍ୟମ କରିଥିଲା, କିନ୍ତୁ ଭାରତୀୟ ସେନା ଏହାକୁ ପଣ୍ଡ କରିଦେଇଛି। ଗତକାଲି ଓ ଆଜି ମଧ୍ୟ ପାକିସ୍ତାନ ବାୟୁସେନା ଭାରତୀୟ ସେନା ଶିବିର ଓ ଘାଟି ଉପରେ ବିମାନ ଆକ୍ରମଣ ପାଇଁ ଉଦ୍ୟମ କରିଥିବାର ସମସ୍ତ ପ୍ରମାଣ ରହିଛି ଏବଂ ଏହାକୁ ପାକିସ୍ତାନ ଆଦୌ ଲୁଚାଇପାରିବ ନାହିଁ।

ପାକିସ୍ତାନର ଏକ ଏଫ୍‌-୧୬ ଯୁଦ୍ଧ ବିମାନକୁ ଭାରତ ଖସାଇ ଦେବା ପରେ ଅନ୍ୟ ବିମାନଗୁଡ଼ିକ ଫେରିଯିବାକୁ ବାଧ୍ୟ ହୋଇଥିଲେ ବୋଲି ଏୟାର ଭାଇସ୍‌ ମାର୍ସାଲ ଆର୍‌ଜିକେ କପୁର କହିଛନ୍ତି। ପାକ୍‌ ଯୁଦ୍ଧ ବିମାନ ଲେଜର୍‌ ବୋମା ପ୍ରୟୋଗ କରିଥିଲେ ମଧ୍ୟ ଏହା ଭାରତର ସାମାନ୍ୟତମ କ୍ଷତି କରିପାରି ନାହିଁ ବୋଲି ସେ କହିଛନ୍ତି। ଭାରତୀୟ ସେନା ଖସାଇଥିବା ଏଫ୍‌ ୧୬ ଲଢ଼ୁଆ ବିମାନର ଫଟୋ ଆଜି ଜାରି ହୋଇଛି ଏବଂ ଏହା ଭାରତୀୟ ଅଂଚଳରେ ଖସିଥିଲା। କଶ୍ମୀରରେ ଭାରତୀୟ ସେନା ଶାନ୍ତି ଚାହୁଛିଁ। କିନ୍ତୁ ଶାନ୍ତି ନଷ୍ଟ କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲେ ଏଥିପାଇଁ ଭାରତୀୟ ସେନା ସଂପୂର୍ଣ୍ଣ ତୟାର ରହିଛି ବୋଲି ସେ କହିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ ଅତ୍ୟନ୍ତ ସଫଳତାର ସହ ସଂପାଦନ ହୋଇଛି ଏବଂ ପରବର୍ତ୍ତୀ ପରିସ୍ଥିତିରେ ଭାରତ ଅତ୍ୟନ୍ତ ଦାୟିତ୍ବସଂପନ୍ନ ରାଷ୍ଟ୍ର ଭାବେ ତା’ର କାର୍ଯ୍ୟ କରୁଛି ବୋଲି ମେଜର ଜେନେରାଲ ସୁରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର