ସପ୍ତାହକ ମଧ୍ୟରେ ନିଜ ହାଇକମିଶନ କର୍ମଚାରୀ ସଂଖ୍ୟା ଅଧା କମାଇବାକୁ ପାକିସ୍ତାନକୁ ଭାରତ କହିଲା

ନୂଆଦିଲ୍ଲୀ : ପାକିସ୍ତାନ ସହିତ ନିଜର କୂଟନୈତିିକ ସଂପର୍କକୁ ହ୍ରାସ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଅନୁଯାୟୀ ସପ୍ତାହକ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନ କର୍ମଚାରୀ ସଂଖ୍ୟାକୁ ଅଧା କମାଇବାକୁ ପାକିସ୍ତାନକୁ କୁହାଯାଇଛି ।
ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତରେ ଅବସ୍ଥାପିତ ପାକ ହାଇକମିଶନର ସୟଦ ହାଇଦର ଶାହଙ୍କୁ ଡକାଇ ତାଙ୍କୁ ଏହା କୁହାଯାଇଛି । ନୂଆଦିଲ୍ଲୀରେ ଥିବା ପାକ ହାଇକମିଶନର ଅଧିକାଂଶ କର୍ମଚାରୀ ଗୁପ୍ତଚରବୃତ୍ତି ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା କାର୍ଯ୍ୟରେ ଲିପ୍ତ ଥିବା ବାରମ୍ବାର ପ୍ରମାଣିତ ହେବାପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଗତ ମେ ମାସ ୩୧ ତାରିଖରେ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ କର୍ମଚାରୀଙ୍କୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଭାରତ ସରକାର ବିତାଡ଼ିତ କରିଥିଲେ । ଏହାର ଜବାବରେ ଗତସପ୍ତାହରେ ଇସ୍ଲାମାବାଦରେ ଥିବା ଭାରତୀୟ ହାଇକମିଶନର ଦୁଇ କର୍ମଚାରୀଙ୍କୁ ଆଇଏସଆଇ ଗିରଫ କରିବା ପରେ ଛାଡ଼ିଦେଇଥଲା । ଏହା ପୂର୍ବରୁ ରିପୋର୍ଟ ଆସିଥିଲା ଯେ ଭାରତୀୟ ହାଇକମିଶନର କର୍ମଚାରୀଙ୍କୁ ସବୁବେଳେ ପିଛା କରାଯାଉଛି । ଏହା ସହିତ ଅସ୍ଥାୟୀ ହାଇକମିଶନର ଗୌରବ ଆଲୁଓ୍ଵାଲିଆଙ୍କ ବାସଭବନ ନିକଟରେ ଆଇଏସଆଇର ଲୋକ ଜଗିରହୁଛନ୍ତି ।
ଗତ ବର୍ଷ ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ସରକାର ଭାରତ ସହିତ ନିଜର କୂଟନୈତିକ ସଂପର୍କକୁ ହ୍ରାସ କରିଥିଲେ ।

ସମ୍ବନ୍ଧିତ ଖବର