ଭାରତର ମୁଣ୍ଡବଥା: ସୀମାରେ ଚୀନ୍‌ ସେନା ଠୁଳ

ଆମେରିକା ସେନା ଶୈଳୀରେ ସମନ୍ଵିତ ଆକ୍ରମଣ ପ୍ରସ୍ତୁତି, କ୍ୟୁଟିଏସ୍‌-୧୧ ସହ ଡିଜିଟାଲ୍‌ ସୂଚନା ପ୍ରଣାଳୀରେ ଖଚିତ

ବେଜିଂ: ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ବ୍ୟାପକ ଚୀନ୍‌ ସୈନିକ ଭାରତ ସୀମାରେ ଠୁଳ ହେବାରେ ଲାଗିଛନ୍ତି। ଏପରିକି ଆମେରିକା ସେନା ଶୈଳୀରେ ସେମାନେ ବ୍ୟକ୍ତିଗତ ଭାବେ କୌଣସି ସମ୍ଭାବ୍ୟ ସମନ୍ଵିତ ଯୁଦ୍ଧ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ସାଙ୍ଗରେ ଘାତକ ଗୁଳିଗୋଳା ସହିତ ତତ୍କାଳ ପ୍ରତିକ୍ରିୟା ପାଇଁ ଆବଶ୍ୟକ ସୂଚନା ପ୍ରଦାନକାରୀ କମ୍ପ୍ୟୁଟର ପ୍ରଣାଳୀ ମଧ୍ୟ ସେମାନେ ବହନ କରୁଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଚୀନ୍‌ ସେନାର ଏଭଳି ସ୍ୱତନ୍ତ୍ର ପ୍ରସ୍ତୁତି ସମ୍ପର୍କିତ ସଦ୍ୟ ଖବର ଭାରତର ଚିନ୍ତା ବଢ଼ାଇ ଦେଇଛି। ପ୍ରକାଶିତ ଖବର ଅନୁଯାୟୀ, ଚୀନ୍‌ ତାହାର ସେନାବାହିନୀ ପିପୁଲ୍‌ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ)ର ବଛା ବଛା ପଦାତିକ ସୈନିକଙ୍କୁ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମରେ ଖଚିତ କରାଇଛି। ସେମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ଆବଶ୍ୟକ କୃତ୍ରିମ ସତର୍କତା ସହ ଅତ୍ୟାଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସମ୍ବଳିତ ଜ୍ଞାନକୌଶଳର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଏପରିକି ଶକ୍ତିଶାଳୀ ଆମେରିକା ସେନାବାହିନୀ ଢାଞ୍ଚାରେ ପ୍ରତିପକ୍ଷ ଉପରେ ସମନ୍ଵିତ ଆକ୍ରମଣ ପାଇଁ ଏହି ପିଏଲ୍‌ଏ ସୈନିକଙ୍କୁ ପ୍ରସ୍ତୁତ କରାଯାଇଛି। ଭାରତ ସହ ୩୪୮୮ କିମି ଦୀର୍ଘ ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ଚୀନ୍‌ର େଓ୍ଵଷ୍ଟର୍ନ ଥେଟର କମାଣ୍ଡ୍‌ର ଏହି ଦକ୍ଷ ସୈନିକମାନଙ୍କୁ ନେଇ ସ୍କାଇ ଉଲ୍ଫ କମାଣ୍ଡୋ ନାମରେ ଏକ ସ୍ୱତନ୍ତ୍ର ବାହିନୀ ଗଠନ କରାଯାଇଛି। ପ୍ରତ୍ୟକଙ୍କୁ ବିଶ୍ୱର ସବୁଠୁ ଘାତକ ଆଗ୍ନେୟାସ୍ତ୍ର କ୍ୟୁଟିଏସ୍‌-୧୧ ପ୍ରଣାଳୀ ଚଳାଇବାର ତାଲିମ ଦିଆଯାଇଛି। ଏହି ପ୍ରଣାଳୀରେ ଆସଲ୍ଟ ରାଇଫଲ୍‌ ସହ ୨୦ ମିମି ଗ୍ରେନେଡ୍‌ ନିକ୍ଷେପ କରିବାର ବ୍ୟବସ୍ଥା ରହିଛି। ଏଥି ସହିତ ସେଥିରେ ଶତ୍ରୁପକ୍ଷ ଠାବ ଏବଂ ଲକ୍ଷ୍ୟଭେଦ ପାଇଁ ଡିଜିଟାଲ୍‌ ସୂଚନା ପ୍ରଦାନ ବ୍ୟବସ୍ଥା ବି ରହିଛି। ପୂର୍ବରୁ ଚୀନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଭାରତ ସୀମାରେ ଜେ-୧୦ ଓ ଜେ-୧୧ ପରି ଲଢ଼ୁଆ ବିମାନ ନିୟୋଜନ ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ଖବର ଭାରତକୁ ବିକଳ୍ପ ଚିନ୍ତା କରିବା ପାଇଁ ବାଧ୍ୟ କରିଥିଲା। ତେବେ ବର୍ତ୍ତମାନ ଭାରତ ସହ ଚୀନ୍‌ର ସେଭଳି ଉତ୍ତେଜନାମୂଳକ ପରିସ୍ଥିତି ନଥିବା ବେଳେ ଏହି ସ୍ୱତନ୍ତ୍ର ସୈନିକମାନଙ୍କୁ ଚୀନ୍‌ ଭାରତ ସୀମାରେ ଠୁଳ କରିବା ହିଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଣ୍ଡବଥା ହୋଇଛି। ଗତବର୍ଷ ଜୁନ୍‌ ମାସରେ ଡୋକ୍‌ଲାମ୍‌ର ବିବାଦୀୟ ତ୍ରିକୋଣଭୂମି ଅଞ୍ଚଳରେ ଚୀନ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ଏହାକୁ ଭାରତ ବିରୋଧ କରିଥିଲା। ଫଳରେ ଜୁନ୍‌ ୧୬ ତାରିଖରେ ଉଭୟ ଦେଶର ସେନାଙ୍କ ମଧରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୀମାରେ ଦୀର୍ଘ ୭୩ ଦିନ ଧରି ଗୋଳମାଳିଆ ସ୍ଥିତି ଲାଗି ରହିବା ପରେ କୂଟନୈତିକ ଆଲୋଚନା କ୍ରମେ ଅଗଷ୍ଟ ୨୩ରେ ଚୀନ୍‌ ସେନା ପଛକୁ ହଟିଥିଲେ। ସେହି ବିବାଦ ପରେ ଚଳିତ ମାସରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ, ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓ ବୈଦେଶିକ ସଚିବ ବିଜୟ ଗୋଖଲେ ଗୋପନରେ ଡୋକ୍‌ଲାମ୍‌ ଗସ୍ତ କରିବା ସହ ଭୁଟାନ ପ୍ରତିପକ୍ଷଙ୍କ ସହ ଆଲୋଚନା କରି ଫେରିଛନ୍ତି।

ସମ୍ବନ୍ଧିତ ଖବର