ନୌସେନା ଡେଷ୍ଟ୍ରୟର୍ ଓ ଫ୍ରିଗେଟ୍ ଯୁଦ୍ଧ ଜାହାଜରେ ଖଞ୍ଜାହେବ ଆମେରିକୀ ତୋପ ଏମକେ-୪୫ : ୨୫ କିମି ଦୂରରୁ ଧ୍ୱଂସ କରିବ ଶତ୍ରୁପକ୍ଷର ଟାର୍ଗେଟ୍

ନୂଆଦିଲ୍ଲୀ: ଏଣିକି ଜଳପଥରେ ମଧ୍ୟ ଶତ୍ରୁ ଠାରୁ  ୨୫ କିଲୋମିଟର ଦୂରରେ ରହି ଧ୍ୱଂସ କରିପାରିବ ଭାରତୀୟ ନୌସେନା । କାରଣ ଭାରତୀୟ ନୌସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ବିଶ୍ୱର ସବୁଠୁ ଶକ୍ତିଶଳୀ ତୋପ । ୭୧ ହଜାର କୋଟି ମୂଲ୍ୟର ଆମେରିକା ନିର୍ମିତ ଏମକେ-୪୫  ଅତ୍ୟାଧୁନିକ ତୋପ ଖୁବଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି । ଆଉ ଏଥିପାଇଁ ହଁ ଭରିଛି ଟ୍ରମ୍ପ ପ୍ରଶାସନ । ଏହି ତୋପ ବିଶାଖାପଟ୍ଟନମ୍ ଶ୍ରେଣୀୟ ଡେଷ୍ଟ୍ରୟର୍ ଓ ନୀଳଗିରି ଶ୍ରେଣୀୟ ଫ୍ରିଗେଟ‌ରେ ଖଞ୍ଜାଯିବା ଯୋଜନା ରହିଛି।

ଆମେରିକା ଏଭଳି ଅତ୍ୟାଧୁନିକ ୧୩ଟି ଏମକେ-୪୫ ତୋପ ଭାରତକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଏହି ମାରାତ୍ମକ ତୋପକୁ  ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନକୁ ଟାର୍ଗେଟ କରିବାକୁ ବ୍ୟବହାର କରାଯାଏ । ଶତୁ ପକ୍ଷକୁ ପ୍ରତିଆକ୍ରମଣ ପାଇଁ ଟିକିଏ ବି ସୁଯୋଗ ଦେଇନଥାଏ ଏହି ଅତ୍ୟାଧୁନିକ ତୋପ । ପାଣି ଭିତରୁ ସ୍ଥଳ ଓ ଆକାଶପଥର ଶତ୍ରୁଙ୍କୁ ବେଶ ସହଜରେ କିଛି ସେକେଣ୍ଡରେ ଧ୍ୱଂସ କରିବାର କ୍ଷମତା ଏହି ତୋପରହିଛି ।

Wikipedia

ଆମେରିକା ଏହି ତୋପକୁ କେବଳ ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ କୋରିଆକୁ ବିକ୍ରି କରିଛି । ଥାଇଲାଣ୍ଡ ମଧ୍ୟ ଏହି ଅତ୍ୟାଧୁନିକ ତୋପ ହାତେଇଛି । ଭାରତ ସହ ବ୍ରିଟେନ ଓ କାନାଡାକୁ ମଧ୍ୟ ଏହି ତୋପ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ଆମେରିକା ।

ଏକ ମିନିଟରେ ୧୬ରୁ ୨୦ ରାଉଣ୍ଡ ଗୁଳି ନିକ୍ଷେପ କରି ପାରୁଥିବା ଏହି ଅତ୍ୟାଧୁନିକ ତୋପ  ରାଡାରରେ ଥିବା ଶତ୍ରୁ ଟାର୍ଗେଟକୁ ଠାବ କରିବା ପରେ ୨୫ କିମି ଦୂରରୁ ତାହାକୁ ଉଡ଼ାଇ ଦେବ। ଗୋଟିଏ ଥରରେ ୬୮୦ ରାଉଣ୍ଡ ଗୁଳି ଛାଡି ପାରୁଥିବା ଏହି ତୋପର ଆକ୍ରମଣକୁ ପ୍ରତିହତ କରିବା ଶତ୍ରୁପକ୍ଷ ପାଇଁ କାଠିକର ପାଠ । କାରଣ ଏହି ତୋପରୁ ୩୧.୭୫ କିଲୋଗ୍ରାମର ଗୁଳି ବାହାରିଥାଏ, ଯାହା ଶତ୍ରୁପକ୍ଷ ଟାର୍ଗେଟକୁ ନିମିଷକ ମଧ୍ୟରେ ନାଶ କରିପାରେ । ଟ୍ରମ୍ପ ପ୍ରଶାସନ ସବୁଜ ସଂକେତ ଦେଇଥିଲେ ମଧ୍ୟ ଏହି ତୋପ ପାଇବାକୁ ଆମେରିକା ପ୍ରଶାସନ ଠାରୁ ଭାରତକୁ ଆଇନଗତ ମଞ୍ଜୁରୀ ମିଳିବା ଆବଶ୍ୟକ।

ସମ୍ବନ୍ଧିତ ଖବର