ନୂଆଦିଲ୍ଲୀ: ଆମେରିକାର ନାଲିଆଖି ସତ୍ତ୍ବେ ଫ୍ରାନ୍ସ ଓ ଅନ୍ୟ କେତେକ ଦେଶ ପାଲେଷ୍ଟାଇନ୍ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ପାଲେଷ୍ଟାଇନ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜାତିସଂଘ ପକ୍ଷରୁ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ୩ ଦିନିଆ ଉଚ୍ଚସ୍ତରୀୟ ସମ୍ମିଳନୀରେ ଭାରତ ଯୋଗଦେବ ବୋଲି ଜଣାପଡ଼ିଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ସମେତ ୧୨୩ଟି ଦେଶ ଏବଂ ଏଜେନ୍ସି ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସ ଓ ସାଉଦି ଆରବର ମିଳିତ ଅଧ୍ୟକ୍ଷତାରେ ହେବାକୁ ଥିବା ଜାତିସଂଘ ବୈଠକରେ ଯୋଗଦେବା ପାଇଁ ଦସ୍ତଖତ କରିଛନ୍ତି। ଗତବର୍ଷ ଜାତିସଂଘ ସାଧାରଣ ପରିଷଦ ସଂକଳ୍ପ ସପକ୍ଷରେ ଭାରତ ଭୋଟ ଦେଇଥିଲା। ୨୦୨୫ ଜୁନରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ନେଇ ସେହି ସଂକଳ୍ପରେ ଘୋଷଣା କରାଯାଇଥିଲା। ୨ ରାଷ୍ଟ୍ର ସମାଧାନ ପ୍ରସଙ୍ଗ ଉପରେ ଆଲୋଚନା ଏହି ସମ୍ମିଳନୀରେ କରାଯାଇଥାନ୍ତା। କିନ୍ତୁ ଇରାନ-ଇସ୍ରାଏଲ ସଂଘର୍ଷ କାରଣରୁ ଗତମାସରେ ଏହି ବୈଠକ ହୋଇ ପାରି ନଥିଲା।
ଅନ୍ୟପକ୍ଷରେ ଏହି ବୈଠକରେ ଯୋଗ ନଦେବା ପାଇଁ ଆମେରିକା ଗତମାସରେ ବିଶ୍ବର ବିଭିନ୍ନ ଦେଶକୁ ଧମକାଇଥିଲା। ଯୁଦ୍ଧ ବନ୍ଦ ଏବଂ ବନ୍ଧକଙ୍କୁ ମୁକୁଳାଇବା ପାଇଁ ବର୍ତ୍ତମାନ ଚାଲିଥିବା ଉଦ୍ୟମରେ ବାଧା ସୃଷ୍ଟି ହେବ ବୋଲି ୱାସିଂଟନ କହିଥିଲା। ନିକଟରେ ଜି-୭ର ପ୍ରଥମ ସଦସ୍ୟଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପାଲେଷ୍ଟାଇନକୁ ଦେଶଭାବେ ସ୍ବୀକୃତି ଦିଆଯିବ ବୋଲି କହିବା ପରେ ସମ୍ମିଳନୀ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ଫ୍ରାନ୍ସର ଏପ୍ରକାର ନିଷ୍ପତ୍ତିକୁ ଆମେରିକା ନିନ୍ଦା କରିଛି। ତୁରନ୍ତ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ ଗତମାସରେ ଜାତିସଂଘ ସାଧାରଣ ପରିଷଦର ସଂକଳ୍ପ ଉପରେ ହୋଇଥିବା ଭୋଟିଂରୁ ଯେଉଁ ୧୯ଟି ଦେଶ ବିରତ ରହିଥିଲେ ସେମାନଙ୍କ ମଧ୍ୟରେ ଭାରତ ରହିଥିଲା।
ଗାଜା ପ୍ରସଙ୍ଗରେ ଭାରତ ଅତ୍ୟନ୍ତ ସତର୍କତାର ସହ ଆଗକୁ ବଢ଼ୁଛି। କାରଣ ଭାରତ ପୂର୍ବରୁ ପାଲେଷ୍ଟାଇନର ଦାବିକୁ ସମର୍ଥନ କରି ଆସୁଛି। ଅନ୍ୟପକ୍ଷରେ ଭାରତର ସଂପର୍କ ଇସ୍ରାଏଲ ସହିତ ଗତ କିଛିବର୍ଷ ହେଲା ବୃଦ୍ଧି ପାଇଛି। ହମାସ ପକ୍ଷରୁ କରାଯାଇଥିବା ଆକ୍ରମଣ ବିରୋଧରେ ପଦକ୍ଷେପ ନେବାର ଅଧିକାର ଇସ୍ରାଏଲର ରହିଛି ବୋଲି ଭାରତ ସରକାର ମତ ଦେଇ ଆସୁଛନ୍ତି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ନିୟମକୁ ମାନିବା ଏବଂ ପାଲେଷ୍ଟାଇନରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ ନକରିବା ପାଇଁ ମଧ୍ୟ ଭାରତ ସରକାର ଇସ୍ରାଏଲଠାରୁ ଆଶା ରଖିଛନ୍ତି।