ଗହମ ପରେ ଚିନି ରପ୍ତାନିକୁ ବି ନିଷିଦ୍ଧ କରିବ ଭାରତ !

ନୂଆଦିଲ୍ଲୀ : ଗହମ ପରେ ଚିନି ରପ୍ତାନିକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ଭାରତ ସରକାର । ଦେଶରେ ଚିନି ଉପଲବ୍ଧତା ବୃଦ୍ଧି ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ଲାଗି ଚିନ୍ତା କରୁଥିବା ଜଣାଯାଇଛି ।

ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଚଳିତ ଚିନି ଋତୁରେ ଦେଶରୁ ମୋଟ ଚିନି ରପ୍ତାନିକୁ ୧୦ ନିୟୁତ ଟନ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇପାରନ୍ତି । ଚଳିତ ଚିନି ଋତୁରେ ଏପର୍ଯ୍ୟନ୍ତ ଭାରତରୁ ପ୍ରାୟ ସାଢେ ୭ ନିୟୁତ ଟନ ଚିନି ରପ୍ତାନି ହୋଇସାରିଛି ।

ଭାରତ ବିଶ୍ବର ବୃହତ୍ତମ ଚିନି ଉତ୍ପାଦନକାରୀ ହୋଇଥିବାବେଳେ ବ୍ରାଜିଲ ପରେ ବିଶ୍ବର ୨ୟ ବୃହତ୍ତମ ଚିନି ରପ୍ତାନିକାରୀ । ଏଣୁ ଭାରତ ରପ୍ତାନି କଟକଣା ଲଗାଇଲେ ବିଶ୍ବ ବଜାରରେ ଚିନି ଉପଲବ୍ଧତା ପ୍ରଭାବିତ ହେବ ଓ ଦର ବୃଦ୍ଧି ହେବ ।

ଗତ ଫେବ୍ରୁଆରିମାସରେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ କରାଯିବା ପରେ ବିଶ୍ବରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି କେତେକ ଦେଶ ରପ୍ତାନି କଟକଣା ଲଗାଇଛନ୍ତି ।  ଭାରତ ଗହମ ରପ୍ତାନି ଉପରେ କଟକଣା ଲଗାଇଥିବାବେଳେ ମାଲେସିଆ ପାମ ଅଏଲ ଉପରେ କଟକଣା ଲଗାଇଛି । ସେହିପରି ସର୍ବିଆ ଓ କାଜାଖସ୍ଥାନ ଶସ୍ୟ ରପ୍ତାନି ଉପରେ କଟକଣା ଲଗାଇଛନ୍ତି ।

ସମ୍ବନ୍ଧିତ ଖବର