ନୂଆଦିଲ୍ଲୀ: ଭାରତକୁ ‘ଶ୍ରୀଅନ୍ନ’ର (ମିଲେଟ୍) ବୈଶ୍ବିକ ନାଭିକେନ୍ଦ୍ର ବା ‘ହବ୍’ କରାଯିବ ବୋଲି ଆଜି ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ଆନ୍ତର୍ଜାତିକସ୍ତରରେ ସର୍ବୋତ୍ତମ ପ୍ରୟୋଗ, ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ନିମନ୍ତେ ହାଇଦ୍ରାବାଦସ୍ଥିତ ‘ଦି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ’କୁ ‘ଉତ୍କର୍ଷତାର କେନ୍ଦ୍ର’ ଭାବେ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ମାଣ୍ଡିଆକୁ (ମିଲେଟ୍) ଲୋକପ୍ରିୟ କରାଇବାରେ ଭାରତ ଅଗ୍ରଣୀ। ଏହାକୁ ଖାଇବାଦ୍ବାରା ପୋଷକତ୍ତ୍ବ, ଖାଦ୍ୟ ସୁରକ୍ଷା ଏବଂ କୃଷକମାନଙ୍କର କଲ୍ୟାଣ ହୁଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ।
ବିଶ୍ବରେ ଆମେ ହେଉଛୁ ‘ଶ୍ରୀଅନ୍ନ’ ବୃହତ୍ତମ ଉତ୍ପାଦକ ଓ ଦ୍ବିତୀୟ ବୃହତ୍ ରପ୍ତାନିକାରୀ। ଆମେ ଯଅ, ମାଣ୍ଡିଆ, ବାଜରା, କୁଟ୍ଟୁ, ରାମଦାନା, କଙ୍ଗନି, କିଟ୍କି, କୋଦୋ, ଚୀନା ଏବଂ ସମା ଭଳି କେତେ ପ୍ରକାରର ‘ଶ୍ରୀଅନ୍ନ’ ଚାଷ କରୁଛୁ। ସ୍ବାସ୍ଥ୍ୟ ପ୍ରତି ଖୁବ୍ ଉପକାରୀ ଏହି ଶସ୍ୟ ସବୁ ଶହ ଶହ ବର୍ଷ ଧରି ଆମ ଭୋଜନର ଅବିଚ୍ଛେଦ୍ୟ ଅଂଶ ଭାବେ ରହି ଆସିଛି। ଏହି ‘ଶ୍ରୀଅନ୍ନ’ ଚାଷ କରି ସାଥୀ ନାଗରିକମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅବଦାନ ଦେଉଥିବା କ୍ଷୁଦ୍ର ଚାଷୀମାନଙ୍କର ମହାନ ସେବାକୁ ମୁଁ ଆନନ୍ଦ ସହକାରେ ସ୍ବୀକୃତି ଦେଉଛି ଅର୍ଥମନ୍ତ୍ରୀ କହିଛନ୍ତି।