ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଇ-ବାଣିଜ୍ୟ ବଜାରରେ ପରିଣତ ହେବ ଏବଂ ଡିଜିଟାଲ ଅର୍ଥନୀତିର ଆକାର ୮,୦୦୦ କୋଟି ଡଲାରକୁ ବୃଦ୍ଧି ପାଇବ। ଏଥି ସହିତ ଚଳିତ ବର୍ଷ ଭାରତର ଇ-ବାଣିଜ୍ୟ ବଜାର ପ୍ରାୟ ୩,୨୫୦ କୋଟି ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Advertisment

ଏକ ଆକଳନ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତରେ ୫୦ କୋଟିରୁ ଅଧିକ ଲୋକ ଅନଲାଇନରେ ସପିଂ କରିବେ। ବର୍ତ୍ତମାନ ଭାରତର ଇ-ବାଣିଜ୍ୟ ବଜାରର ମୂଲ୍ୟ ପ୍ରାୟ ୧,୧୩୦ କୋଟି ଡଲାର ରହିଛି। ଯାହା ବାର୍ଷିକ ପ୍ରାୟ ୨୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଏହାର ଅଭିବୃଦ୍ଧି ପାଇଁ ସବୁଠାରୁ ବଡ କାରଣ ହେଉଛି ଜିବି ପ୍ରତି ୧୩.୫୦ଟଙ୍କା ହାରରେ ସୁଲଭ ଇଣ୍ଟରନେଟ୍। ୨୦୧୯ ତୁଳନାରେ ୨୦୨୩-୨୪ରେ ମୋବାଇଲ୍ ମାଧ୍ୟମରେ ଇଣ୍ଟରନେଟ୍ ପ୍ରବେଶ ୨୧ ପ୍ରତିଶତ ବୃଦ୍ଧି ପାଇଛି।

୨୦୨୫ ସୁଦ୍ଧା, ୮୭ ପ୍ରତିଶତ ପରିବାର ପାଖରେ ଇଣ୍ଟରନେଟ୍ ସଂଯୋଗ ରହିଥିବ। ଅନଲାଇନ୍ ସପିଂ କରୁଥିବା ଇଣ୍ଟରନେଟ୍ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ୨୦୧୯ ରୁ ୨୦୨୬ ମଧ୍ୟରେ, ଭାରତର ଗ୍ରାମାଞ୍ଚଳରେ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବାର୍ଷିକ ୨୨ ପ୍ରତିଶତ ହାରରେ ବୃଦ୍ଧି ପାଇ ଏହା ୮୮ କୋଟିରୁ ଅଧିକ ହେବ।

ଭାରତର ଡିଜିଟାଲ ଅର୍ଥନୀତି ଏବଂ ଇ-ବାଣିଜ୍ୟ ବଜାରରେ ଅଭିବୃଦ୍ଧିର କାରଣ ମଧ୍ୟରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୨୨ ମସିହାରେ, ୧.୫ ଲକ୍ଷ କୋଟି ଡଲାର ମୂଲ୍ୟର କାରବାର ଏହା ମାଧ୍ୟମରେ କରାଯାଇଥିଲା। ୨୦୨୬ ସୁଦ୍ଧା, ଯେତେବେଳେ ଭାରତର ୮୧ ପ୍ରତିଶତ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ରହିଥିବ। ଏହି ଜନସଂଖ୍ୟା ମଧ୍ୟ ୟୁପିଆଇ ପରି ମାଧ୍ୟମ ବ୍ୟବହାର କରୁଥି‌ବେ।