ନୂଆଦିଲ୍ଲୀ: ଦେଶରେ ଏବେ ଅର୍ଥନୈତିକ ଅବସ୍ଥା ଦୃଢ଼ ରହିଛି। ବିକାଶ ଯେଉଁ ବେଗରେ ଗତି କରୁଛି, ତାହା ଜାରି ରହିଲେ ଭାରତ ଅର୍ଥନୀତିରେ ବିଶ୍ବର ତୃତୀୟ ଶକ୍ତି ହେବ। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାର ଗତ ୧୦ ବର୍ଷରେ ଦରଦାମ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛି। ୟୁପିଏ ସରକାର ବେଳେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। କିନ୍ତୁ ଏନ୍‌ଡିଏ ସରକାର ଏହାକୁ ନିୟନ୍ତ୍ରଣ କରିଛି। ସେହିଭଳି ତାଙ୍କ ସରକାର ଦୁର୍ନୀତି ବିରୋଧରେ‌ ଯେଉଁ ଅଭିଯାନ ଚଳାଇଛି, ସେଥିରେ ବଡ଼ ଧରଣର ସଫଳତା ମିଳିଛି। ଗତ ୧୦ ବର୍ଷ ମଧ୍ୟରେ ଇଡି ବା ପ୍ରବବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧ ଲକ୍ଷ କୋଟି ଟଙ୍କାର ସଂପତ୍ତି ଜବତ କରିଛି। ଅନ୍ୟପକ୍ଷରେ ୟୁପିଏ ସରକାର ବେଳେ ମାତ୍ର ୫ ହଜାର କୋଟି ଟଙ୍କାର ସଂପତ୍ତି ଜବତ ହୋଇଥିଲା।

Advertisment

ତାଙ୍କ ଉତ୍ତରରେ ପ୍ରଧାନମନ୍ତ୍ରୀ ବଭିନ୍ନ କ୍ଷେତ୍ରରେ ତାଙ୍କ ସରକାରଙ୍କ ସଫଳତା ଉପରେ ଅାଲୋକପାତ କରିଥିଲେ। ରାମ ମନ୍ଦିର ନିର୍ମାଣ, ୩୭୦ ଧାରା ଉଚ୍ଛେଦ ଏବଂ ମହାକାଶ ଅଭିଯାନ ସଫଳତା ଉପରେ ଆଲୋକପାତ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନ୍‌ଡିଏର ଗତ ୧୦ ବର୍ଷ ଶାସନ ସମୟରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ଜାଲରୁ ମୁକ୍ତ କରାଯାଇଛି। ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ୫୦ କୋଟି ଲୋକଙ୍କ ବ୍ୟାଙ୍କରେ ଏବେ ସକ୍ରିୟ ଜମାଖାତା ରହିଛି। ୪ କୋଟି ଗରିବ ପରିବାରଙ୍କୁ ପକ୍କା ଘର ‌ଯୋଗାଇ ଦିଆଯାଇଛି। ରାଷ୍ଟ୍ର ଗଠନ ଏବଂ ଦେଶର ବିକାଶରେ ସରକାରଙ୍କୁ ସହଯୋଗ କରିବା ଲାଗି ସେ ସମସ୍ତ ସାଂସଦ ଓ ରାଜନୈତିକ ଦଳଙ୍କୁ ଆହ୍ବାନ ଜଣାଇଛନ୍ତି।

ଏହାସହିତ ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଆସନ୍ତା ଲୋକସଭା ନିର୍ବ‌ାଚନରେ ଏନ୍‌ଡିଏ ୪୦୫ ଆସନ ପାଇବ। ସେଥିମଧ୍ୟରୁ କେବଳ ବିଜେପିକୁ ୩୭୦ରୁ ଅଧିକ ଆସନ ମିଳିବ। ବିରୋଧୀ ଦଳଙ୍କୁ କଟାକ୍ଷ କରି କହିଛନ୍ତି ଯେ ସଂସଦରେ‌ ସେମାନଙ୍କର ସ୍ଥିତିକୁ ଅପରିବର୍ତ୍ତିତ ରଖିବା ପାଇଁ ସେମାନେ ସଂକଳ୍ପ ନେଇଛନ୍ତି। ଏଥିପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦେଶରେ ବିକାଶ ଦ୍ରୁତ ଗତିରେ ଚାଲିବ। କଂଗ୍ରେସ ଦଳ ଓ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରି କହିଛନ୍ତି, ମୋହବତ୍‌ କି ଦୁକାନର ପ୍ରଚାର କରୁଥିବା କଂଗ୍ରେସ ଦଳ ବାରମ୍ବାର ଗୋଟିଏ ପ୍ରକାର ସାମଗ୍ରୀର ପ୍ରଚାର କରିବା ଦ୍ବାରା ଦୋକାନ ବନ୍ଦ ହେବାକୁ ବସିଛି। ସେ କହିଥିଲେ ଯେ ସେମାନେ (କଂଗ୍ରେସ) ବିଫଳ ହୋଇଛନ୍ତି ଓ ଅନ୍ୟଦଳଗୁଡ଼ିକୁ ମଧ୍ୟ ଭଲ କାମ କରିବାକୁ ସୁଯୋଗ ଦେଇନାହାନ୍ତି। ସେମାନେ ସଂସଦକୁ ଧ୍ବସ୍ତ କରିଛନ୍ତି, ବିରୋଧୀ ଦଳ ଓ ଦେଶକୁ ନଷ୍ଟ କରିଦେଇଛନ୍ତି। ସେ (‌ମୋଦୀ) ବିଶ୍ବାସ କରନ୍ତି ଯେ ଦେଶ ଏକ ଶକ୍ତିଶାଳୀ ବିରୋଧୀର ଆବଶ୍ୟକତା କରୁଛି। ଏହି ଦେଶ ବଂଶବାଦ ରାଜନୀତିର କଳୁଷତାର ସାମ୍ନା କରିଛି ଓ କଂଗ୍ରେସ ମଧ୍ୟ ଏହାର ପ୍ରଭାବକୁ ଭୋଗୁଛି।

ସେହିଭଳି ପରିବାରବାଦ ରାଜନୀତି ସମ୍ପର୍କରେ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ରାଜନାଥ ସିଂହ ଓ ଅମିତ ଶାହଙ୍କୁ ସମାଲୋଚନା କରୁଛି। ଏହାର ଜବାବ ଦେଇ ପ୍ରଧାନମନ୍ତ୍ରୀ ମୋ‌ଦୀ କହିଥିଲେ ଯେ ଯେତେବେଳେ ଏକ ରାଜନୈତିକ ଦଳକୁ ଏକ ପରିବାର ଚଳାଏ ଓ ଏହାର ନେତୃତ୍ବ ଦାୟିତ୍ବ କେବଳ ପରିବାର ସଦସ୍ୟଙ୍କୁ ମିଳେ ତାକୁ ପରିବାରବାଦ କୁହାଯାଏ। ରାଜନାଥ ସିଂହ, ଅମିତ ଶାହ କୌଣସି ଦଳ ଚଳାଉନାହାନ୍ତି। ଦେଶର ଗଣତନ୍ତ୍ର ପାଇଁ ବଂଶବାଦ ରାଜନୀତି ଚିନ୍ତାଜନକ ଅଟେ। ଯଦି ଏକ ପରିବାରର ଦୁଇଜଣ କିମ୍ବା ୧୦ଜଣଙ୍କ ବିକାଶ ହୁଏ ତେବେ ସେ ତାକୁ ସମ୍ମାନ ଦିଅନ୍ତି, କିନ୍ତୁ ଏହାକୁ ହିଁ ପରିବାର ଦ୍ବାରା ଚାଲୁଥିବା ଦଳ କୁହାଯାଏ। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଦ୍ବାରା ପ୍ରଣୀତ ସମସ୍ତ ଯୋଜନା ଓ ନୀତିକୁ କଂଗ୍ରେସର ବିରୋଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କଂଗ୍ରେସ ଏକପ୍ରକାର କ୍ୟାନସେଲ୍‌ କଲଚର (ରଦ୍ଦ ସଂସ୍କୃତି)କୁ ଗ୍ରହଣ କରିଛି। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓ ପଦକ୍ଷେପକୁ ବିନା ଅନୁଶୀଳନରେ ବିରୋଧ କରୁଛି। କଂଗ୍ରେସ ମେକ୍‌ ଇନ୍‌ ଇଣ୍ଡିଆ, ଭୋକାଲ୍‌ ଫର ଲୋକାଲ୍‌, ବନ୍ଦେ ଭାରତକୁ ରଦ୍ଦ କରିଛି। ସେ ଆଶ୍ଚର୍ଯ୍ୟାନ୍ବିତ ଯେ ଏଭଳି ଘୃଣା ଭରିରହିଛି ଯେ ଦେଶର ପ୍ରଗତି ଓ ଉପଲବ୍ଧିକୁ ମଧ୍ୟ ସେମାନେ (କଂଗ୍ରେସ) ଗ୍ରହଣ କରୁନାହାନ୍ତି।