ଚୀନର ଟେଲିକମ ଉପକରଣ ଯୋଗାଣକାରୀ କମ୍ପାନିଙ୍କୁ କଳା ତାଲିକାଭୁକ୍ତ କରିପାରେ ଭାରତ

ନୂଆଦିଲ୍ଲୀ : ଚୀନ ସହ ଉତ୍ତେଜନା ମଧ୍ୟରେ ଭାରତ ସରକାର ଚୀନର କେତେକ ଟେଲିକମ ଯନ୍ତ୍ରପାତି ଯୋଗାଣକାରୀ କମ୍ପାନିଙ୍କୁ କଳା ତାଲିକାଭୁକ୍ତ କରିବେ । ଆଜି ବସିଥିବା ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

ଏହା ସହିତ ସରକାର କେତେକ ଭରସାଯୋଗ୍ୟ ଟେଲିକମ ଯନ୍ତ୍ରପାତି କମ୍ପାନିଙ୍କ ତାଲିକା ପ୍ରସ୍ତୁତ କରିବେ । ଏହି ତାଲିକାକୁ  ଜାତୀୟ ନିରାପତ୍ତା ଡିରେକ୍ଟିଭ ଭାବେ ନାମିତ କରାଯିବ । ଡିରେକ୍ଟିଭରେ ସ୍ଥାନ ପାଇଥିବା କମ୍ପାନିଙ୍କ ଠାରୁ ଭାରତୀୟ ଟେଲିକମ କମ୍ପାନିମାନେ ଉପକରଣ ଓ ସେବା ପ୍ରାପ୍ତ କରିବା ନିରାପଦ ହେବ । ଏହାଛଡ଼ା କେତେକ ଅଣଭରସାଯୋଗ୍ୟ କମ୍ପାନିଙ୍କ ନାମ ତାଲିକା ମଧ୍ୟ ପ୍ରସ୍ତୁତ ହେବ । ମୁଖ୍ୟତଃ ଚୀନର କମ୍ପାନିମାନଙ୍କୁ ଏହି ତାଲିକାରେ ରଖିବାର ସମ୍ଭାବନା ରହିଛି । ତେବେ ଏ ସମ୍ପର୍କରେ ଅଧିକ କିଛି କହିବାକୁ ପ୍ରସାଦ ମନା କରିଦେଇଛନ୍ତି ।

କେନ୍ଦ୍ର ସରକାର ପୂର୍ବରୁ  ଚୀନର ଟେଲିକମ ଉପକରଣ କମ୍ପାନି ହୁଆଏଇକୁ ଭାରତରେ ନିଷିଦ୍ଧ କରିସାରିଛନ୍ତି । ଏହା ଭାରତରେ ୫-ଜି ସେବା ଲାଗୁ ପାଇଁ ହୁଆଏଇ ଟେଲିକମ ଭିତ୍ତିଭୂମି ନିର୍ମାଣ କରିପାରିବ ନାହିଁ । ସୁରକ୍ଷା କାରଣରୁ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଗତ କିଛି ମାସ ମଧ୍ୟରେ ଭାରତ ସରକାର ଚୀନର ଶତାଧିକ ମୋବାଇଲ ଆପକୁ ମଧ୍ୟ ଭାରତରେ ନିଷିଦ୍ଧ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଟିକଟକ, ଓ୍ବିଚାଟ, କ୍ୟାମସ୍କାନର, ପବଜି ଆଦି ଲୋକପ୍ରିୟ ଆପ୍।

ସମ୍ବନ୍ଧିତ ଖବର