ନୂଆଦିଲ୍ଲୀ : ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ଚୀନ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ପାଶ୍ଚାତ୍ୟ ଦେଶମାନେ ତାହାର କୂଟନୈତିକ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଭାରତ ଏ କ୍ଷେତ୍ରରେ ଚୀନକୁ ସମର୍ଥନ ଦେଇ ଆସିଥିଲା । କିନ୍ତୁ ଗଲଓ୍ବାନ ସଂଘର୍ଷରେ ଭାଗ ନେଇଥିବା ଜଣେ ସୈନିକଙ୍କୁ ଚୀନ ଅଲମ୍ପିକ ମସାଲ ଧରାଇବାରୁ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ କୂଟନୈତିକ ବହିଷ୍କାର ପାଇଁ ନିଷ୍ପତ୍ତି ନେଇଛି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଅଲିମ୍ପିକ୍ସ ପରି ପ୍ରତିଯୋଗିତାକୁ ଚୀନ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଦୁର୍ଭାଗ୍ୟଜନକ । ଅଲିମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ କୌଣସି ଭାରତୀୟ କୂଟନୀତିଜ୍ଞ ଯୋଗ ଦେବେ ନାହିଁ । ସେହିପରି ପ୍ରସାରଭାରତୀ ପକ୍ଷରୁ ମଧ୍ୟ ଅଲିମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବର ସିଧା ପ୍ରସାରଣ କରାଯିବ ନାହିଁ ବୋଲି ପ୍ରସାରଭାରତୀର ସିଇଓ ଶଶୀ ଶେଖର କହିଛନ୍ତି ।
ଚୀନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ବୁଧବାର ଗଲଓ୍ବାନ ସଂଘର୍ଷରେ ଭାଗ ନେଇ ଆହତ ହୋଇଥିବା ପିଏଲଏ ସୈନ୍ୟ କ୍ବି ଫାବାଓଙ୍କୁ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର ମସାଲ ଧରିବାର ସମ୍ମାନ ଦିଆଯାଇଥିଲା । ସେ ହେଉଛନ୍ତି ଚୀନ ସେନା ବା ପିଏଲଏର ସିଜିଆନ ମିଲିଟାରୀ କମାଣ୍ଡର ଜଣେ ରେଜିମେଣ୍ଟ କମାଣ୍ଡର । ତାଙ୍କୁ ଅଲିମ୍ପିକ୍ସ ମସାଲ ଯାତ୍ରାରେ ସାମିଲ କରିବାକୁ ଭାରତ ବିରୋଧ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/pjimage_-_2021-10-22T105802_1641023152.jpg)