ଚୀନସୀମାରେ ଭାରତ ନିର୍ମାଣ କରିବ ଦେଢଶହ କିଲୋମିଟର ଲମ୍ବା ଟନେଲ୍‌

ନୂଆଦିଲ୍ଲୀ: ଚୀନ ପଟୁ ବିପଦ ବଢୁଥିବାରୁ ଭାରତ ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଏ ସଂପର୍କରେ ବଜେଟରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଗତକାଲି ବଜେଟ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏକ ସାମରିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବିଷୟରେ ଘୋଷଣା କରିଛନ୍ତି । ତାହା ହେଉଛି ଅରୁଣାଚଳ ପ୍ରଦେଶରେ ସମୁଦ୍ରପତନଠାରୁ ୧୩,୭୦୦ ଫୁଟ ଉଚ୍ଚତାରେ ଏକ ଗୋପନ ଟନେଲ ନିର୍ମାଣ କରାଯିବ । ଏହି ଟନେଲଟିର ନାଁ ହେଉଛି ସିଲା ପାସ୍‌ । ଏହାକୁ ଅରୁଣାଚଳପ୍ରଦେଶର ତଓ୍ଵାଙ୍ଗଠାରୁ ପଶ୍ଚିମ କାମେଙ୍ଗ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ଟନେଲଟିର ଲମ୍ବ ହେବ ପ୍ରାୟ ଦେଢଶହ କିଲୋମିଟର । ଏହା ସମ୍ପୂର୍ଣ୍ଣ ହେଲେ ଭାରତୀୟ ସେନାର ଓଜନିଆ ଯୁଦ୍ଧଯାନ ସହଜରେ ଯାଇପାରିବ ।

ଅନ୍ୟପକ୍ଷରେ ଲଦାଖରେ ରୋହତଙ୍ଗ ପାସ୍‌ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି । ଆହୁରି ମଧ୍ୟ ୧୫ କିଲୋମିଟର ଲମ୍ବ ଜୋଜିଲା ପାସ୍‌ର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ବୋଲି ଜେଟଲୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ସୀମା ସେପଟେ ଚୀନ ପକ୍ଷରୁ ଅନେକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରାଯାଇଥିବା ବେଳେ ଭାରତ ପଛେଇ ଯାଇଛି । ଫଳରେ ଯୁଦ୍ଧ ହେବା ସ୍ଥିତିରେ ଚୀନ ସେନା ବେଶ ସୁବିଧାରେ ରହିବ । ପରିସ୍ଥିତି ଏପରି ହୋଇଛି ସୀମା ସେପଟେ ଚୀନ ସେନା ଗାଡ଼ିର ଆସୁଥିବାବେଳେ ଭାରତୀୟ ସେନା ଘଣ୍ଟା ଘଣ୍ଟା ଧରି ବା କିଛି ଦିନ ଚାଲିବା ପରେ ଉକ୍ତ ସ୍ଥାନରେ ପହଞ୍ଚୁଛନ୍ତି । ଏଣୁ ସୀମାନ୍ତ ଅଞ୍ଚଳରେ ସଡ଼କ, ଟନେଲ, ପୋଲ ଆଦି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ଵିତ କରିବାକୁ ଭାରତୀୟ ସେନା ଦାବି କରିଆସୁଛି ।

ସମ୍ବନ୍ଧିତ ଖବର