ଚୀନ ସହ ଉତ୍ତେଜନା ପରିପ୍ରେକ୍ଷୀରେ ଋଷିଆରୁ ୩୩ଟି ଲଢୁଆ ବିମାନ କିଣିବାକୁ ଭାରତୀୟ ବାୟୁସେନାର ନିଷ୍ପତ୍ତି

ନୂଆଦିଲ୍ଲୀ : ଚୀନ ସହିତ ଭାରତର ତିକ୍ତତା ଚରମ ସୀମାରେ ପହଞ୍ଚିସାରିଥିବାବେଳେ ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରିଛି । ଋଷିଆଠାରୁ ୧୨ଟି ସୁଖୋଇ ଓ ୨୧ଟି ମିଗ-୨୯ ଖରିଦ ପାଇଁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି । ଏସବୁ ଲଢୁଆ ବିମାନଗୁଡ଼ିକୁ ତୁରନ୍ତ ଖରିଦ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏଗୁଡ଼ିକ ଭାରତୀୟ ବାୟୁସେନାର ଥିବା ଲଢୁଆ ବିମାନ ଅଭାବ ପୂରଣ କରିବାକୁ ସହାୟକ ହେବ ।
ପ୍ରାୟ ୫ ହଜାର କୋଟିର ଏହି ପ୍ରସ୍ତାବକୁ ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ପଠାଇ ଦିଆଯାଇଛି । ଆସନ୍ତା ସପ୍ତାହରେ ମନ୍ତ୍ରାଳୟ ଏ ସଂପର୍କରେ ନିଷ୍ପତ୍ତି ନେବ । ୨୦୧୬ରେ ଫ୍ରାନ୍ସରୁ ୩୬ଟି ରାଫେଲ ବିମାନ ଖରିଦ ଚୁକ୍ତି ପରେ ଏହା ହେଉଛି ୨ୟ ବୃହତ ବିମାନ ଖରିଦ ଚୁକ୍ତି ।

ଆସନ୍ତା ଜୁଲାଇ ମାସରେ ଭାରତରେ ରାଫେଲ ବିମାନ ପହଞ୍ଚିବ । ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ସିଧାସଳଖ ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ବାୟୁସେନା ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ପାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ । ଏହି ଯୁଦ୍ଧ ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର