ଆସନ୍ତା ୧୫ ବର୍ଷ ମଧ୍ୟରେ ଭାରତ କିଣିବ ୪୫୦ଟି ଲଢୁଆ ବିମାନ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ପ୍ରାୟ ୪୫୦ଟି ଲଢୁଆ ବିମାନ ସାମିଲ କରିବ ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ଆରକେଏସ ଭାଦୁରିଆ କହିଛନ୍ତି । ସେ କହିଛନ୍ତି ଯେ ଦେଶର ପଶ୍ଚିମ ଓ ଉତ୍ତରଭାଗରେ ଏସବୁ ଯୁଦ୍ଧ ବିମାଗୁଡ଼ିକର ମୁତୟନ କରାଯିବ । ଏହି ୪୫୦ଟି ଲଢୁଆ ବିମାନ ମଧ୍ୟରେ ରହିଛି ୩୬ଟି ରାଫେଲ ବିମାନ, ୧୧୪ଟି ମଲଟିରୋଲ ଲଢୁଆ ବିମାନ, ୧୦୦ଟି ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ଓ ୨୦୦ରୁ ଅଧିକ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ।

 

ଭାରତୀୟ ବାୟୁସେନାର ମୋଟ ସ୍କ୍ଵାର୍ଡନ କ୍ଷମତା ହେଉଛି ୪୨ । କିନ୍ତୁ ବାୟୁସେନା ପାଖରେ ଏବେ ୩୩ଟି ସ୍କ୍ଵାର୍ଡନ ଲଢୁଆ ବିମାନ ରହିଛି । ଗୋଟିଏ ସ୍କ୍ଵାର୍ଡନରେ ୧୬ରୁ ୧୮ଟି ଲଢୁଆ ବିମାନ ରହିଥାଏ । ଲଢୁଆ ବିମାନ ଅଭାବ ପୂରଣ କରିବାକୁ ସରକାର ଏବେ ଫ୍ରାନ୍ସରୁ ୩୬ଟି ( ୨ ସ୍କ୍ଵାର୍ଡନ) ରାଫେଲ ବିମାନ ଖରିଦ କରିବାକୁ ଚୁକ୍ତି କରିଛନ୍ତି । ଚଳିତ ବର୍ଷଠାରୁ ଏହି ବିମାନଗୁଡ଼ିକର ଯୋଗାଣ ଆରମ୍ଭ ହେବ ଓ ୨୦୨୨ ସୁଦ୍ଧା ସମସ୍ତ ୩୬ଟି ବିମାନ ଭାରତୀୟ ବାୟୁସେନା ହାତକୁ ଆସିବ । କିନ୍ତୁ ଏହି ବିମାନଗୁଡ଼ିକ ଆସିବା ପରେ ମଧ୍ୟ ଆହୁରି ୭ଟି ସ୍କ୍ଵାର୍ଡନ ଲଢୁଆ ବିମାନ ଅଭାବ ରହିବ । ଏଣୁ ସରକାର ଅଧିକରୁ ଅଧିକ ଲଢୁଆ ବିମାନ କିଣି ଅଭାବ ପୂରଣ କରିବାକୁ ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର