ଆମେରିକାରୁ ଆଉ ୮ଟି ପୋସେଡନ ବିମାନ କିଣିବ ଭାରତ, ସମୁଦ୍ର ଭିତରେ ଲୁଚିଥିବା ବୁଡ଼ାଜାହଜକୁ ଠାବ କରି ଧ୍ୱଂସ କରିଦେବ

ନୂଆଦିଲ୍ଲୀ : ଚୀନ ସହ ଉତ୍ତେଜନା ଚାଲିଥିବାବେଳେ ନିଜର ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରିଚାଲିଛି ଭାରତ । ଚୀନକୁ ନେଇ ଆଗକୁ ସ୍ଥିତି ଅନିଶ୍ଚିତ ଥିବାବେଳେ ଭାରତ ଜରୁରୀକାଳୀନ ଭିତ୍ତିରେ ଅସ୍ତ୍ରଶସ୍ତ୍ର ଖରିଦ କରିଚାଲିଛି ।

ଆମେରିକାରୁ ଅତ୍ୟାଧୁନିକ ବୋଇଂ ପୋସେଡନ-୮ଆଇ ଖରିଦ କରିବାକୁ ଭାରତ ଅର୍ଡର ଦେଇଛି । ଏଗୁଡ଼ିକର ମୂଲ୍ୟ ପ୍ରାୟ ୧.୮ ବିଲିୟନ ଡଲାର ହେବ । ଉଭୟ ଭାରତ ମହାସାଗର ଓ ଲଦାଖରେ ପ୍ରହରା ଓ ପର୍ଯ୍ୟବେକ୍ଷଣ ମିଶନ ପାଇଁ ଭାରତ ପୂର୍ବରୁ ହିଁ ଏହି ବିମାନ ବ୍ୟବହାର କରୁଛି ।
ଭାରତ ମହାସାଗରରେ ଚୀନ ନୌସେନାର ଗତିବିଧି ବଢୁଥିବାରୁ ଭାରତୀୟ ନୌସେନା ଅଧିକ ସତର୍କ ହୋଇଉଠିଛି । ପୋସେଡନରେ ଲାଗିଥିବା ଅତ୍ୟାଧୁନିକ ଇଲେକ୍ଟ୍ରୋ-ଅପଟିକ ସେନସର ପାଣିଭିତରେ ଥିବା ଶତ୍ରୁପକ୍ଷର ବୁଡ଼ାଜାହାଜକୁ ଠାବ କରି ଧ୍ୱଂସ କରିପାରିବ । ଏଥିରେ ଖଞ୍ଜା ହୋଇଥିବା ହର୍ପୁନ ବ୍ଲକ-୨ ମିସାଇଲ ଓ ଏମତେ-୫୪ ଟର୍ପୋଡୋ ବୁଡ଼ାଜାହାଜ ଓ ଯୁଦ୍ଧଜାହାଜମାନଙ୍କୁ ଧ୍ୱଂସ କରିବାରେ କୁଖ୍ୟାତ ।
ପୂର୍ବରୁ ଗତ ୨୦୦୯ ମସିହାରେ ଭାରତୀୟ ନୌସେନା ୮ଟି ପୋସେଡନ ବିମାନକୁ ସାମିଲ କରିଥିଲା । ଏଗୁଡ଼ିକ ପ୍ରାୟ ୨.୧ ବିଲିୟନ ଡଲାର ମୂଲ୍ୟରେ କିଣାଯାଇଥିଲା । ସେହିପରି ୪ଟି ପୋସେଡନ ଖରିଦ ପାଇଁ ଭାରତ ଜୁଲାଇ ୨୦୧୬ରେ ଚୁକ୍ତି କରିଥିଲା । ଏଗୁଡ଼ିକ ଆସନ୍ତା ଡିସେମ୍ବର ମାସରୁ ଭାରତରେ ପହଞ୍ଚିବା ଆରମ୍ଭ କରିବ ।

ସମ୍ବନ୍ଧିତ ଖବର