ଆମେରିକାଠାରୁ ଆଉ ୬ଟି ଆପାଚେ ଲଢୁଆ ହେଲିକାପ୍ଟର କିଣିବ ଭାରତ, ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଆମେରିକାଠାରୁ ଆଉ ୬ଟି ଅତ୍ୟାଧୁନିକ ଆପାଚେ ଲଢୁଆ ହେଲିକପ୍ଟର ଖରିଦ କରିବ ଭାରତ । ଏ ନେଇ ଆଜି ଦୁଇଦେଶ ମଧ୍ୟରେ ଚୁକ୍ତି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଆମେରିକାର ବୋଇଂ କମ୍ପାନି ଓ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟରେ ହୋଇଛି । ଏହାଛଡ଼ା ଏକ ଫରେନ ମିଲିଟାରୀ ସେଲ ଚୁକ୍ତି ଦୁଇ ଦେଶର ସରକାରଙ୍କ ମଧ୍ୟରେ ହୋଇଛି । ଭାରତୀୟ ସେନା ଏହି ୬ଟି ଆପାଚେ ହେଲିକାପ୍ଟର ବ୍ୟବହାର କରିବ । ଏଗୁଡ଼ିକର ଯୋଗାଣ ମାର୍ଚ୍ଚ ୨୦୨୩ ପରେ ଆରମ୍ଭ ହେବ । ଭାରତୀୟ ସେନାକୁ ଆପାଚେର ସର୍ବାଧୁନିକ ସଂସ୍କରଣ ଏଏଚ୬୪-ଇ ମିଳିବ । ଗତ ୨୦୧୫ରେ ଭାରତ ଆମେରିକାଠାରୁ ୨୨ଟି ଆପାଚେ ଖରିଦ ପାଇଁ ଚୁକ୍ତି କରିଥିଲା । ଏପର୍ଯ୍ୟନ୍ତ ଏହି ୨୨ଟି ମଧ୍ୟରୁ ୧୮ଟି ଭାରତରେ ପହଞ୍ଚିଛି । ଭାରତୀୟ ବାୟୁସେନା ଏଗୁଡ଼ିକୁ ବ୍ୟବହାର କରୁଛି ।

ସୂଚନାଯୋଗ୍ୟ ଯେ, ଟ୍ୟାଙ୍କ୍, ସାମରିକ ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା ।ଏହି ହେଲିକପ୍ଟରରେ ୩୦ଏମଏମ ମେଶିନଗନ ସଂଯୁକ୍ତ ରହିଛି । ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଇ ଯାଇପାରିବ । ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ ।

ସମ୍ବନ୍ଧିତ ଖବର