ନିଜ ସେନା ପାଇଁ ଅତ୍ୟାଧୁନିକ ବାଲିଷ୍ଟିକ ହେଲମେଟ୍‌ କିଣିବ ଭାରତ

ନୂଆଦିଲ୍ଲୀ : ଭାରତୀୟ ସୈନିକ ନିଜର ରଣକୌଶଳ ଓ ବୀରତ୍ୱ ପାଇଁ ସାରା ଦେଶରେ ବେଶ ପରିଚିତ । ତେବେ ସରକାରୀ ଉଦାସୀନତା ଓ ନାଲିଫିତା ଯୋଗୁଁ ବର୍ଷ ବର୍ଷ ଧରି ଭାରତୀୟ ସୈନିକମାନଙ୍କୁ ଅତ୍ୟାଧୁନିକ ତଥା ଉନ୍ନତ ସୁରକ୍ଷା ଉପକରଣ ଯୋଗାଯାଇପାରୁନାହିଁ । ଏହା ଫଳରେ ସୈନିକ ମାନଙ୍କ ଦକ୍ଷତା ପ୍ରଭାବିତ ହେଉଛି ।

ଏହି ସମସ୍ୟାର ସମାଧାନ ଲାଗି ସରକାର ଏବେ ଜରୁରୀକାଳୀନ ଭିତ୍ତିରେ କେତେକ ପଦକ୍ଷେପ ନେଉଛନ୍ତି । ପ୍ରଥମତଃ ସୈନିକମାନଙ୍କୁ ଉତ୍ତମ ରାଇଫଲ ଯୋଗାଇଦିଆଯାଉଛି ଓ ଦ୍ୱିତୀୟରେ ସେମାନଙ୍କ ପାଇଁ ଅତ୍ୟାଧୁନିକ ବୁଲେଟପ୍ରୁଫ ଜ୍ୟାକେଟ ଓ ହେଲମେଟ୍‌ କିଣାଯାଉଛି । ନିକଟରେ ସରକାର ସେନା ପାଇଁ ଅତ୍ୟାଧୁନିକ ବାଲିଷ୍ଟିକ ହେଲମେଟ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ହେଲମେଟ ଶକ୍ତିଶାଳୀ ଏକେ-୪୭ ରାଇଫଲର ଗୁଳିକୁ ମଧ୍ୟ ଅଟକାଇଦେବ । ଏଥିରେ ମଧ୍ୟ ନାଇଟ ଭିଜନ, ଫେସ ସିଲ୍ଡ ଓ ଟର୍ଚ ରହିବ ।

ଗତ ଜୁନ ୨୩ ତାରିଖରେ ସେନାର ଇନଫାଣ୍ଟ୍ରି ଡାଇରେକ୍ଟରେଟ ପକ୍ଷରୁ ଭାରତୀୟ ଓ ଅନ୍ତର୍ଜାତୀୟ ହେଲମେଟ ନିର୍ମାଣକାରୀ କମ୍ପାନିମାନଙ୍କଠାରୁ ଏହି ହେଲମେଟ ପାଇଁ ପ୍ରସ୍ତାବ ଆହ୍ଵାନ କରିଛନ୍ତି । ଗତ ୧୩ ତାରିଖରେ କେତେକ ଭାରତୀୟ ଓ ଅନ୍ତର୍ଜାତୀୟ ହେଲମେଟ ନିର୍ମାଣକାରୀ କମ୍ପାନିଙ୍କ ସହ ଏକ ବୈଠକ ଆୟୋଜନ କରି ଆଲୋଚନା କରିଥିଲେ । ଗୋଟିଏ ବାଲିଷ୍ଟିକ ହେଲମେଟର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ଥିବାବେଳେ ଭାରତ ମୋଟ ୫୦୦ କୋଟି ଟଙ୍କାର ଅର୍ଡର ପ୍ରଦାନ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର