ଆମେରିକାଠାରୁ  ୩୦ଟି ବୋମାବର୍ଷୀ ଡ୍ରୋନ କିଣିବ ଭାରତ

ନୂଆଦିଲ୍ଲୀ :ଭାରତ ପ୍ରାୟ ୩ ବିଲିୟନ ଡଲାର ବିନିମୟରେ ଆମେରିକାଠାରୁ ୩୦ଟି ଲଢୁଆ ଡ୍ରୋନ କିଣିବ । ଏସବୁ ଡ୍ରୋନ ଭାରତୀୟ ସେନା, ନୌସେନା ଓ ବାୟୁସେନା ପାଇଁ କିଣାଯିବ ବୋଲି ଜାତୀୟ ସ୍ତରର ଗଣମାଧ୍ୟମ ‘ଦ ପ୍ରିଣ୍ଟ’ ଏକ ରିପୋର୍ଟ ପ୍ରକାଶ କରିଛି ।

ଗତ ବର୍ଷ ଭାରତ ଆମେରିକାଠାରୁ ୨ଟି ସି ଗାର୍ଡିଆନ ଡ୍ରୋନ ଭଡ଼ାରେ ଆଣିଥିଲା । ଏସବୁ ଡ୍ରୋନର ଦକ୍ଷତାରେ ପ୍ରଭାବିତ ହୋଇ ଭାରତ ଆମେରିକାର ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଛି । ଚଳିତ ମାସ ଶେଷଭାଗରେ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି । ଏହି ଗସ୍ତ ସମୟରେ ଡ୍ରୋନ କ୍ରୟ ସମ୍ପର୍କରେ ଘୋଷଣା ହୋଇପାରେ ।

ମିଳିଥିବା ସୂଚନା ଅନୁସାରେ ଭାରତ ପ୍ରାୟ ୩୦ଟି ଏମକ୍ୟୁ-୯ ରିପର ବା ପ୍ରିଡେଟର ଡ୍ରୋନ କିଣିବ । ତିନି ବାହିନୀକୁ ୧୦ଟି ଲେଖାଏଁ ଡ୍ରୋନ ପ୍ରଦାନ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଥିବା ପ୍ରତିରକ୍ଷା କ୍ରୟ ପରିଷଦ ଖୁବ ଶୀଘ୍ର ଏହି ଡିଲ ଉପରେ ମୋହର ମାରିବାର ସମ୍ଭାବନା ରହିଛି ।

୨୦୧୯ ଏପ୍ରିଲରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଭାରତକୁ ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଭାରତକୁ ପ୍ରାୟ ୩ ବିଲିୟନ ଡଲାର ବିନିମୟରେ ୩୦ଟି ଏମକ୍ୟୁ-୯ ରିପର ଡ୍ରୋନ ବିକ୍ରି ପାଇଁ ଆମେରିକା ପ୍ରସ୍ତାବ ଦେଇଥିଲା । ଜେନେରାଲ ଆଟମିକ୍ସ କମ୍ପାନି ଏସବୁ ଡ୍ରୋନଗୁଡ଼ିକର ନିର୍ମାଣ କରିଥାଏ ।

ସମ୍ବନ୍ଧିତ ଖବର