ଆହୁରି ଶସ୍ତାରେ ରୁଷ ତେଲ କିଣିବାକୁ ଉଦ୍ୟମ ଚଳାଇଛି ଭାରତ

ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶଙ୍କ ଚାପ ସତ୍ତ୍ବେ ଭାରତ ରୁଷଠାରୁ ରିହାତି ଦରରେ ତେଲ କିଣିବା ଜାରି ରଖିଛି । ତେବେ ଆହୁରି ଶସ୍ତାରେ ତେଲ କିଣିବାକୁ ଭାରତ ରୁଷର ତେଲ କମ୍ପାନି ରୋସନେଫଟ ସହ ଆଲୋଚନା ଚଳାଇଥିବା ଜଣାପଡ଼ିଛି । ଯଦି ଏହି କଥାବାର୍ତ୍ତା ସଫଳ ହୁଏ ଭାରତ ରୁଷଠାରୁ ପୂର୍ବରୁ ମଗାଇଥିବା ତେଲ ଛଡ଼ା ଆହୁରି ବିପୁଳ ମାତ୍ରାରେ ତେଲ ଶସ୍ତା ଦରରେ ଆମଦାନୀ କରିବ ।

ଗତ ଫେବ୍ରୁଆରି ୨୪ରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ୟୁରୋପୀୟ ଦେଶମାନେ ରୁଷିଆରୁ ତେଲ କ୍ରୟ କମାଇଦେଇଥିଲେ । ମାତ୍ର ଏସୀୟ ରାଷ୍ଟ୍ର ବିଶେଷକରି ଚୀନ ଓ ଭାରତ ରୁଷିଆଠାରୁ ପ୍ରଚୁର ପରିମାଣରେ ତେଲ କିଣୁଛନ୍ତି । ଗତ ଏପ୍ରିଲ ମାସରେ ରୁଷରୁ ତେଲ କ୍ରୟ ମାମଲାରେ ଏସିଆ ୟୁରୋପକୁ ଟପିଯାଇଛି । ଏହି ମାସରେ ଭାରତ ଦିନକୁ ୨ ଲକ୍ଷ ୮୪ ହଜାର ବ୍ୟାରେଲ ତେଲ ମଗାଇଥିଲା । ମେ ମାସରେ ଏହି ବ୍ୟବଧାନ ଆହୁରି ବଢି ଦୈନିକ ୭ ଲକ୍ଷ ୪୦ ହଜାର ବ୍ୟାରେଲରେ ପହଞ୍ଚିଛି । ଭାରତ ଓ ଚୀନକୁ ଅଧିକ ରିହାତି ଦେଇ ରୁଷ ତେଲ ବିକ୍ରି କରୁଛି । ଏପରିକି ଗତ ଏପ୍ରିଲ ମାସରେ ଚୀନ ତୁଳନାରେ ଭାରତ ରୁଷରୁ ଅଧିକ ତେଲ କିଣିଥିଲା । ରୁଷରୁ ତେଲ କ୍ରୟ କମାଇବାକୁ ଆମେରିକା ଓ ଅନ୍ୟ କେତେକ ଦେଶଙ୍କ ଚାପ ସତ୍ତ୍ବେ ଭାରତ ରାଜନୀତି ଅପେକ୍ଷା ନିଜର ଅର୍ଥନୀତି ଉପରେ ଅଧିକ ଗୁରୁତ୍ବ ଦେବାକୁ ଉଚିତ ମନେ କରିଥିଲା । ଭାରତର ଏହି ନୀତିକୁ ପାଶ୍ଚାତ୍ୟ ଦେଶମାନେ ସମାଲୋଚନା କରିଚାଲିଛନ୍ତି ।

ସମ୍ବନ୍ଧିତ ଖବର