ରୁଷଠାରୁ ୨ ବର୍ଷର ବ୍ୟବହାର ପାଇଁ ଶସ୍ତାରେ ତେଲ କିଣିବ ଭାରତ : ଚୀନ ଗଣମାଧ୍ୟମ

ନୂଆଦିଲ୍ଲୀ : ରୁଷଠାରୁ ବିପୁଳ ପରିମାଣରେ ଅଶୋଧିତ ତୈଳ ଖରିଦ କରିବାକୁ ଭାରତ କଥାବାର୍ତ୍ତା ଚଳାଇଛି ବୋଲି ଚୀନର ସରକାରୀ ଟେଲିଭିଜନ ସିଜିଟିଏନ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଅନୁସାରେ ଭାରତ ପ୍ରାୟ ୩.୫ ବିଲିୟନ ବ୍ୟାରେଲ୍ ଅଶୋଧିତ ତେଲ ଖରିଦ କରିବାକୁ ଯୋଜନା କରୁଛି । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି ଓ ଯେକୌଣସି ଦିନ ଏକ ଡିଲ ହୋଇପାରେ ବୋଲି ସିଜିଟିଏନ କହିଛି ।

ଗୋଟିଏ ଅଟକଳ ଅନୁସାରେ ଏହି ପରିମାଣ ତେଲ ଆସିଲେ ତାହା ଭାରତର ୨ ବର୍ଷର ତୈଳ ଆବଶ୍ୟକତା ପୂରଣ ହୋଇପାରିବ । ୨୦୧୯-୨୦ ବର୍ଷରେ ଭାରତ ପ୍ରାୟ ୧.୭ ବିଲିୟନ ବ୍ୟାରେଲ ତେଲ ଆମଦାନୀ କରିଥିଲା । ତା ପରବର୍ଷ କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ତେଲ ଆମଦାନୀ କମିଥିଲା ।

ନିକଟରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଇଣ୍ଡିଆନ ଅଏଲ ପକ୍ଷରୁ ରୁଷରୁ ୩ ନିୟୁତ ବ୍ୟାରେଲ ତେଲ ଆମଦାନୀ କରିବାକୁ ଚୁକ୍ତି କରାଯାଇଛି । କେବଳ ଇଣ୍ଡିଆନ ଅଏଲ ନୁହେଁ, ଅନ୍ୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି- ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଏମଆରପିଏଲ (ମାଙ୍ଗାଲୋର ରିଫାଇନରୀ ଏଣ୍ଡ ପେଟ୍ରୋକେମିକାଲ୍ସ )  ରୁଷରୁ ତେଲ କିଣିବାକୁ ଯୋଜନା କରୁଛନ୍ତି ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି  ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଉପରେ ଆକ୍ରମଣ କରିବା ଯୋଗୁଁ  ଆମେରିକା ରୁଷ ଉପରେ କଟକଣା ଲଗାଇଛି । କଟକଣା ଲାଗିବା ପରେ ରୁଷ ଭାରତକୁ ରିହାତି ଦରରେ ଅଶୋଧିତ ତେଲ ରପ୍ତାନି ପାଇଁ ପ୍ରସ୍ତାବ ଦେଇଛି । ବ୍ୟାରେଲ ପିଛା ୨୦ର ୨୫ ଡଲାରର ରିହାତି ପ୍ରଦାନ କରାଯାଉଛି ।

 

ସମ୍ବନ୍ଧିତ ଖବର