ନୂଆଦିଲ୍ଲୀ : କେବଳ ଏସ-୪୦୦ ପରି ବୃହତ ମିସାଇଲ ଡିଫେନ୍ସ ସିଷ୍ଟମ ଉପରେ ଭାରତ ଭରଷା କରିବ ନାହିଁ । ବରଂ ସ୍ୱଳ୍ପ ଦୂରତାରେ ଥିବା ଟାର୍ଗେଟ ଖସାଇଲା ଭଳି ଆଉ ଏକ ପ୍ରକାରର ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ପାଇଁ ଏବେ ଉଦ୍ୟମ କରୁଛି । ଏଥିପାଇଁ କିଛି ମାସ ପୂର୍ବରୁ ଭାରତ ସରକାର ଏକ ଗ୍ଲୋବାଲ ଟେଣ୍ଡର ଡାକିଥିଲେ । ଏଥିରେ ଆମେରିକାର ସାବ୍ ଆରବିଏସ ୭୦ ଏନଜି ଓ ଫ୍ରାନ୍ସର ମିଷ୍ଟ୍ରାଲକୁ ପଛରେ ପକାଇ ଋଷିଆର ଇଗଲା ଏସ- ଏୟାର ଡିଫେନ୍ସ ସିଷ୍ଟମ ସର୍ବନିମ୍ନ ବିଜେତା ହୋଇଛି ।
ଇଗଲା ଏସକୁ ଋଷିଆର କମ୍ପାନି ରସବରଏକ୍ସପୋର୍ଟ ନିର୍ମାଣ କରିଥାଏ । ଇଗଲା ଏସ ଏକ ଭିସୋରାଡ୍ ବା ଭେରି ସର୍ଟ ରେଞ୍ଚ ଏୟାର ଡିଫେନ୍ସ ସିଷ୍ଟମ । ଏହାକୁ କାନ୍ଧରେ ବହନ କରିହେବ ଓ ଆକାଶରେ ଉଡୁଥିବା ଶତ୍ରପକ୍ଷର ବିମାନକୁ ଖସାଇ ହେବ । ଏନେଇ ଗତ ଅକ୍ଟୋବର ୫ରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାରତ ଗ୍ରସ୍ତ କାଳରେ ଆଲୋଚନା ହୋଇଥିଲା । ତେବେ ଖୁବ ଶୀଘ୍ର ଏହି ଅସ୍ତ୍ର ଖରିଦ ପାଇଁ ପ୍ରାୟ ୧.୫ ବିଲିୟନ ଡଲାରର ଏକ ଚୁକ୍ତି ହେବାର ସମ୍ଭାବନା ରହିଛି । ତେବେ ଋଷିଆ ଓ ତାହାର ସହଯୋଗୀ ଦେଶଙ୍କ ଉପରେ ଆମେରିକା ଲଗାଇଥିବା କାଟସା ଆଇନ ଏହି ଚୁକ୍ତି ଆଗରେ ପ୍ରତିବନ୍ଧକ ସାଜିପାରେ । ଏହାର ସମାଧାନ ପାଇଁ ଭାରତ ଏହି ୧.୫ ବିଲିୟନ ଡଲାରର କିଛି ଅଂଶ ଭାରତୀୟ ଟଙ୍କା ଆକାରରେ ଦେବାକୁ ଯୋଜନା କରୁଛି । ଋଷିଆ ମଧ୍ୟ ଏଥିପାଇଁ ରାଜି ଥିବା ଜଣାଯାଇଛି ।