ମାଳଦ୍ୱୀପରେ ଥିବା ୨ଟି ସାମରିକ ହେଲିକାପ୍ଟରକୁ ଫେରାଇ ଆଣିବ ଭାରତ

ନୂଆଦିଲ୍ଲୀ : ଭାରତ ଓ ଭାରତ ମହାସାଗରରେ ଥିବା କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପ ମଧ୍ୟରେ ସଂପର୍କ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ମାଳଦ୍ୱୀପରେ ଥିବା ଭାରତର ଦୁଇଟି ସାମରିକ ହେଲିକାପ୍ଟରକୁ ଫେରାଇ ନେବା ପାଇଁ ମାଳଦ୍ୱୀପ କହିବା ପରେ ଭାରତ ସରକାର ଆସନ୍ତା ୧୦ ଦିନ ମଧ୍ୟରେ ଏଗୁଡ଼ିକୁ ଫେରାଇ ନେଇପାରନ୍ତି । ମାଳଦ୍ୱୀପର ଦକ୍ଷିଣରେ ଥିବା ଆଦୁ ଦ୍ୱୀପର ଗେନ ଏୟାରଫିଲ୍ଡରେ ଓ ଉତ୍ତରରେ ଥିବା ଲାମୁଠାରେ ଥିବା ଏୟାରଫିଲ୍ଡରେ ଭାରତର ଏହି ଦୁଇଟି ହେଲିକାପ୍ଟର ରହିଛି । ଏଗୁଡ଼ିକ ସହ ୧୨ ଜଣ ପାଇଲଟ ସହ ୨୫ ଜଣ ନୌସେନା ଓ କୋଷ୍ଟଗାର୍ଡ କର୍ମଚାରୀ ଅଛନ୍ତି ।

ଗତ ମାସରେ ଜାତିସଂଘର ଏକ ଅସ୍ଥାୟୀ ସଦସ୍ୟ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତ ମାଳଦ୍ୱୀପ ବିପକ୍ଷରେ ଓ ଇଣ୍ଡୋନେସିଆ ସପକ୍ଷରେ ଭୋଟ ଦେଇଥିଲା । ଏହି ଭୋଟରେ ମାଳଦଦ୍ୱୀପ ଶୋଚନୀୟ ଭାବେ ୧୪୪-୪୬ ଭୋଟ ବ୍ୟବଧାନରେ ହାରିଥିଲା ।
ଗତ ଫେବ୍ରୁଆରୀ ମାସରେ ମାଳଦ୍ୱୀପରେ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଜରୁରୀ ପରିସ୍ଥିତି ଲାଗୁ କରିବା ପରେ ସବୁ କ୍ଷମତା ନିଜ ହାତକୁ ନେଇଯାଇଥିଲେ । ସେବେଠାରୁ ମାଳଦ୍ୱୀପରେ ଏକ ପ୍ରକାରର ଏକଛତ୍ରବାଦୀ ଶାସନ ଚାଲିଛି । ସେଠାକାର ସରକାର ଭାରତ ସହିତ ଶତ୍ରୁତାପୂର୍ଣ୍ଣ ଆଚରଣ କରିବା ଆରମ୍ଭ କରିଦେଇଛନ୍ତି । ଭାରତ ବଦଳରେ ପାକିସ୍ତାନ, ସାଉଦିଆରବ ଓ ଚୀନକୁ ଏହି ଦେଶ ନିଜର ବନ୍ଧୁରାଷ୍ଟ୍ରବୋଲି ଘୋଷଣା କରିଛି ।

ସମ୍ବନ୍ଧିତ ଖବର