ନୂଆଦିଲ୍ଲୀ: ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର ଏବେ ଅଧିକ କଠୋର ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଖଲିସ୍ତାନୀ ଆତଙ୍କବାଦ ଓ ଉଗ୍ରବାଦକୁ ପ୍ରୋତ୍ସାହନ ଦେଉଥିବା ଅନେକ ଲୋକଙ୍କଠାରୁ ନୂଆଦିଲ୍ଲୀ ଖୁବଶୀଘ୍ର ବିଦେଶୀ-ଭାରତୀୟ ନାଗରିକତା (ଓସିଆଇ) ମାନ୍ୟତା ଛଡ଼ାଇ ନେବ। ସୂତ୍ରରୁ ପ୍ରକାଶ ଯେ ସରକାର ମାମଲା ଭିତ୍ତିରେ କିଛି ବ୍ୟକ୍ତିଙ୍କ ବିରୋଧରେ ଏହି ପଦକ୍ଷେପ ନେଇପାରନ୍ତି।

Advertisment

ଜଣେ ଅଧିକାରୀ କହିଛନ୍ତି ଯେ, ବିଦେଶରେ ଖଲିସ୍ତାନୀ ପତାକା ଧରିବା ଓ ଅନ୍ୟପଟେ ଭାରତରେ ଥିବା ନିଜର କୃଷି ସମ୍ପତ୍ତିରୁ ଆୟ ଏକାଠି କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଦୃଢ ମତ ପୋଷଣ କରୁଛନ୍ତି । ଭାରତୀୟ ଦୂତାବାସ ବାହାରେ ଚାଲିଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଏହି କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ନିକଟରେ କିଛି ଛାତ୍ର ଅଧ୍ୟୟନ ଭିସାରେ ସେଠାକୁ ଯିବା ପରେ ବିଦେଶରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ସରକାର ଅସନ୍ତୁଷ୍ଟ ଅଛନ୍ତି। ଓସିଆଇ ମାନ୍ୟତା ପ୍ରତ୍ୟାହାର କରି କେନ୍ଦ୍ର ସରକାର ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଦେଶପ୍ରତି ଆନୁଗତ୍ୟକୁ ଖଲିସ୍ତାନୀଙ୍କ ଦ୍ବାରା କ୍ଷୁର୍ଣ୍ଣ କରିବାକୁ ଦିଆଯିବ ନାହିଁ ।

ସୂଚନାଯୋଗ୍ୟ ଯେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ ଓ କାନାଡା ମାଧ୍ୟମରେ ସମ୍ପର୍କ ଖରାପ ହୋଇଯାଇଛି । ଏହା ପରେ ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଠୋର ପଦକ୍ଷେପ ନେଉଛନ୍ତି ।