ନୂଆଦିଲ୍ଲୀ: ପାକିସ୍ତାନର ଜୈସ୍-ଇ-ମହମ୍ମଦ ନେତା ମସୁଦ୍ ଅଝାରକୁ ବିଶ୍ୱ ଆତଙ୍କବାଦୀ ଆଖ୍ୟା ଦେବା ନିମନ୍ତେ ଜାତିସଂଘରେ ପଡ଼ି ରହିଥିବା ଭାରତର ଆବେଦନକୁ ସମର୍ଥନ କରିବାକୁ ସୋମବାର ଦିନ ଭାରତ ଚୀନ୍କୁ କହିଛି।
କଠୋରପନ୍ଥୀ ଉଲ୍ଫା ନେତା ପରେଶ ବରୁଆଙ୍କୁ ମଧ୍ୟ ଚୀନ୍ରେ ଆଶ୍ରୟ ନ ଦେବାକୁ ଭାରତ ବେଜିଙ୍ଗ୍କୁ କହିଥିବା କଥା ଜଣେ ଅଧିକାରୀ କହିଛନ୍ତି। ଦ୍ୱିପାକ୍ଷିକ ନିରାପତ୍ତା ସହଯୋଗ ବିଷୟରେ ଭାରତ ଓ ଚୀନ୍ ମଧ୍ୟରେ ପ୍ରଥମ ଥର ଲାଗି ଚାଲିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ଦୁଇଟି ପ୍ରସଙ୍ଗ ଉଠାଯାଇଛି। ଭାରତର ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଚୀନ୍ର ଷ୍ଟେଟ୍ କାଉନ୍ସିଲର୍ ଏବଂ ପବ୍ଲିକ୍ ସିକ୍ୟୁରିଟି ମନ୍ତ୍ରୀ ଝାଓ କେଝି ମିଳିତ ଭାବେ ନୂଆଦିଲ୍ଲୀ ଠାରେ ଚାଲିଥିବା ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି।
ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଥିବା ଜଣେ ଅଧିକାରୀ କହିଛନ୍ତି: ଦୁଇ ଦେଶର ମୁଖ୍ୟ ଚିନ୍ତା ଉଦ୍ରେକକାରୀ ପ୍ରସଙ୍ଗ ଉତ୍ଥାପିତ ହୋଇଛି ଏବଂ ଦୁଇ ପକ୍ଷ ପରସ୍ପରକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଆଝାରକୁ ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ କରିବାକୁ ଜାତିସଂଘର ଅଲ୍-କାଏଦା ସାଙ୍କ୍ସନ୍ସ୍ କମିଟିକୁ ଭାରତ କରିଥିବା ଆବେଦନ ଉପରେ ଚୀନ୍ର ଆପତ୍ତି ଏବଂ ପରେଶ ବରୁଆର ଘନ ଘନ ଚୀନ୍ ଗସ୍ତ ଓ ଉତ୍ତର-ପୂର୍ବାଞ୍ଚଳକୁ ଅସ୍ତ୍ର ଓ ନିଶା ଔଷଧ ଚୋରା ଚାଲାଣ ଯୋଗୁଁ ଭାରତ ଚିନ୍ତିତ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/ajhar.jpg)