ଖୁବଶୀଘ୍ର ଭାରତ କିଣିବ ସ୍ପାଇକ୍‌ ଆଣ୍ଟି ଟ୍ୟାଙ୍କ ମିସାଇଲ, ଟାର୍ଗେଟ ଚୀନଠାରୁ ପାକିସ୍ତାନ ଆଣିଥିବା ଭିଟି-୪ ଟ୍ୟାଙ୍କ

ନୂଆଦିଲ୍ଲୀ : ଭାରତ ଇସ୍ରାଏଲଠାରୁ ସ୍ପାଇକ ମିସାଇଲ କିଣିବା ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ । ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଡିଫେନ୍ସ ଆକ୍ୱିଜିସନ କାଉନସିଲ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିପାରେ । ତେବେ ଏଥିପାଇଁ ଭାରତ ସରକାର ଇସ୍ରାଏଲ ସରକାରଙ୍କ ସହ ଏକ ସିଧାସଳଖ ଡିଲ୍‌ କରିବେ । ଏହି ଡିଲ୍‌ ଅନୁସାରେ ସରକାର ୩,୭୪୨ କୋଟି ବିନିମୟରେ ୪୫୦୦ ଟି ମିସାଇଲ ଓ ୧୭୨ ଲଞ୍ଚର କିଣିବେ ।ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ବିଶ୍ୱର ସବୁଠୁ ମାରାତ୍ମକ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ । ଏହାର ମାରକ କ୍ଷମତା ସର୍ବାଧିକ ୨୫ କିଲୋମିଟର । ଏହାକୁ ଜଣେ ସୈନିକ କାନ୍ଧରେ ବୋହି ଫାୟାର କରିପାରିବ । ବିଶ୍ୱର ସବୁପ୍ରକାରର ଅତ୍ୟାଧୁନିକ ଟ୍ୟାଙ୍କକୁ ଧ୍ୱଂସ କରିବାକୁ ଏହା ସକ୍ଷମ । ବିଶ୍ୱର ଅଳ୍ପ କେତେକ ଦେଶକୁ ହିଁ ଇସ୍ରାଏଲ ଏହି ମିସାଇଲ ହସ୍ତାନ୍ତର କରିଛି । ଭାରତୀୟ ସେନା ପାଖକୁ ଆସିଲେ ଏହା ପାକିସ୍ତାନୀ ଟ୍ୟାଙ୍କ ବାହିନୀ ପାଇଁ ଘାତକ ସାବ୍ୟସ୍ତ ହେବ । ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ଭିଟି-୪ ଯୁଦ୍ଧ ଟ୍ୟାଙ୍କ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତର ଏହି ନିଷ୍ପତ୍ତି ବେଶ ଗୁରୁତ୍ୱ ବହନ କରୁଛି । ଏହି ଟ୍ୟାଙ୍କର ବିଶେଷତ୍ୱ ହେଉଛି ଯେ ଏହାକୁ ଦୂର୍ଗମ ସ୍ଥାନରେ ମୃତୟନ କରାଯାଇପାରିବ ଓ ଏହା ରାତିଅନ୍ଧାରରେ ପ୍ରବଳ ବେଗରେ ଆକ୍ରମଣ କରିପାରିବ । ଖୁବଶୀଘ୍ର ପାକିସ୍ତାନକୁ ଏହି ଟ୍ୟାଙ୍କର ଡେଲିଭରୀ ଆରମ୍ଭ କରିବ ଚୀନ । ମୁଖ୍ୟତଃ ଭାରତକୁ ଟାର୍ଗେଟ କରିବାକୁ ପାକିସ୍ତାନ ଏହି ଟ୍ୟାଙ୍କ ଆଣୁଛି । ଏଣୁ ସ୍ପାଇକ ମିସାଇଲ ମାଧ୍ୟମରେ ଏସବୁ ଟ୍ୟାଙ୍କଗୁଡ଼ିକୁ ଧ୍ୱଂସ ଯୋଜନା କରୁଛି ଭାରତ ।

ସମ୍ବନ୍ଧିତ ଖବର