ନୂଆଦିଲ୍ଲୀ : ଚୀନର ଆପତ୍ତି ସତ୍ତ୍ବେ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ନିଜର ସଡ଼କ ଓ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଆହୁରି ଦ୍ରୁତ ଗତିରେ ଆଗେଇ ନେବାକୁ ଭାରତ ନିଷ୍ପତ୍ତି ନେଇଛି ।

Advertisment

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏସବୁ ସଡ଼କ ପ୍ରକଳ୍ପର ସମୀକ୍ଷା କରି  କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଲଏସି ଅଞ୍ଚଳରେ ଥିବା ଅତି ସଂବେଦନଶୀଳ ଅଞ୍ଚଳ ଡାର୍ବୁକ-ସୋକ-ଦୌଲତବେଗ-ଓଲଡି ଅଂଚଳରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏସବୁ ପ୍ରକଳ୍ପରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଉଛି । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି ସଡ଼କ, ସ୍ଥାୟୀ ପୋଲ, ସୁଡ଼ଙ୍ଗ ଆଦି । ଏଗୁଡ଼ିକ ସଂପୂର୍ଣ୍ଣ ହେଲେ ସୀମା ଓ ଏଲଏସି ଅଞ୍ଚଳକୁ ସହଜରେ ଭାରତୀୟ ସେନାର ଭାରିଯାନ ଓ ଟ୍ୟାଙ୍କ ଆଦି ଯାଇପାରିବ । ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ବର୍ଡର ରୋଡ ଅର୍ଗାନାଇଜେସନ (ବିଆରଓ) ଏସବୁ ପ୍ରକଳ୍ପକୁ  କାର୍ଯ୍ୟକାରୀ କରୁଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ୨୦ ହଜାର କୋଟି ବିନିଯୋଗରେ ପ୍ରାୟ ୩୦ଟି ପୋଲ, ସଡ଼କ ଓ ସୁଡ଼ଙ୍ଗ ନିର୍ମାଣ କରାଯାଉଛି ।

ଭାରତ ଓ ଚୀନ ସେନା ଏବେ ଉତ୍ତେଜନା ହ୍ରାସ କରିବା ଲାଗି ପଛଘୁଞ୍ଚା ଦେଇଥିଲେ ମଧ୍ୟ ଚୀନ ଉପରେ ସଂପୂର୍ଣ୍ଣ ଭରସା କରିପାରୁନାହିଁ ଭାରତ । ଆଗକୁ ଚୀନ ପୁଣି ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଥିବାରୁ ଏସବୁ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କରି ଶୀଘ୍ର ସେନା ପ୍ରେରଣ କରିପାରିବ ଭାରତ ।