ଆମେରିକାର କଟକଣା ଧମକକୁ ଖାତିର କରୁନାହାନ୍ତି ମୋଦି, ଋଷିଆରୁ କିଣା ହେଲା ଏସ-୪୦୦, ଇରାନରୁ ତେଲ କିଣିବା ଜାରି ରହିବ

ନୂଆଦିଲ୍ଲୀ : ଇରାନଠାରୁ ତେଲ କିଣୁଥିବା ଦେଶମାନଙ୍କ ବିରୋଧରେ ଆସନ୍ତା ନଭେମ୍ବର ୪ ପରଠାରୁ ଆର୍ଥିକ କଟକଣା ଲଗାଇବାକୁ ଆମେରିକା ଘୋଷଣା କରିଛି । ଅର୍ଥାତ ଯିଏ ଇରାନରୁ ତେଲ କିଣିବ ତାହାକୁ ଆମେରିକୀୟ ବ୍ୟାଙ୍କମାନେ ଡଲାର ଦେବେ ନାହିଁ । ଏହା ସତ୍ତ୍ୱେ ଭାରତ ଇରାନରୁ ତେଲ କିଣିବା ଅବ୍ୟାହତ ରଖିବ ବୋଲି ଜଣାଯାଇଛି । ଭାରତୀୟ ଟଙ୍କା ବିନିମୟରେ ଇରାନ ତେଲ ଦେବାକୁ ରାଜି ହୋଇଥିବା ଜଣାଯାଇଛି । ନଭେମ୍ବର ୪ ପରେ ବି ଭାରତୀୟ କମ୍ପାନିମାନେ ଇରାନକୁ ପ୍ରାୟ ୧.୨୫ ନିୟୁତ ଟନର ତେଲ ଆମଦାନୀ ପାଇଁ ଅର୍ଡର ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତର ମୋଦି ସରକାର ଆମେରିକାର କଟକଣା ଧମକକୁ ଖାତିର କରୁନାହିଁ । କଟକଣା ଧମକ ସତ୍ତ୍ୱେ ବି ଭାରତ ଋଷିଆଠାରୁ ଏସ-୪୦୦ ଖରିଦ କରିଛି ।
ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ତିନିବର୍ଷ ପୂର୍ବେ ଇରାନ ଉପରେ ଆମେରିକା ଲଗାଇଥିବା କଟକଣା ଉଠାଇବା ପର୍ଯ୍ୟନ୍ତ ଭାରତ ଟଙ୍କା ଓ ୟୁରୋ ବିନିମୟରେ ଇରାନରୁ ତେଲ କିଣୁଥିଲା । କିନ୍ତୁ କଟକଣା ଲାଗିବା ପରେ ଭାରତ କ୍ଷତି ସହିବାର ଆଶଙ୍କା କରୁଛି ।

ସମ୍ବନ୍ଧିତ ଖବର