ପାକିସ୍ତାନ ସୀମାରେ ୧୯୮ଟି ଲଢୁଆ ଯାନ ମୁତୟନ କରିବ ଭାରତ

ନୂଆଦିଲ୍ଲୀ : ପାକିସ୍ତାନପଟୁ ବିପଦ ଆଶଙ୍କା ବଢୁଥିବାରୁ  ସୀମାରେ ନିଜର ଶକ୍ତି ବୃଦ୍ଧି କରିବାକୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଭାରତ । ନିକଟରେ ଭାରତୀୟ ସେନା ୧୯୮ଟି ସଶସ୍ତ୍ର ଲଢୁଆ ଯାନ (ଏଏଫଭି) କିଣିବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ ସୀମାରେ ମୁତୟନ ଥିବା ଟ୍ୟାଙ୍କ ରେଜିମେଣ୍ଟର ସହାୟତା କରିବା ପାଇଁ ଏସବୁ ଯାନକୁ ବ୍ୟବହାର କରାଯିବ । ପୂର୍ବରୁ ଭାରତ ସୋଭିଏତ ଋଷ ନିର୍ମିତ ବିଆରଡିଏମ କମ୍ବାଟ୍‌ ରିକଇନାସାନ୍ସ ପାଟ୍ରୋଲ ଭେହିକ୍ଲ ବ୍ୟବହାର କରୁଥିଲା । କିନ୍ତୁ ଏବେ ସେଗୁଡ଼ିକ ବେଶ ପୁରୁଣା ହୋଇଯାଇଥିବାରୁ ସେଗୁଡ଼ିକ ସ୍ଥାନରେ ଅତ୍ୟାଧୁନିକ ଏଏଫଭି ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏସବୁ ସାମରିକ ଯାନରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲଗାଯାଇଛି । ଶତ୍ରୁପକ୍ଷର ଟ୍ୟାଙ୍କ ଆକ୍ରମଣକୁ ପ୍ରତିହତ କରିବାକୁ ଏସବୁ ଯାନରେ ଆଣ୍ଟି-ଟ୍ୟାଙ୍କ ମିସାଇଲ ଲଗାଯାଇଛି । ଏହାଛଡା ଏଥିରେ ୭.୬୨ ଏମଏମ ମେସିନ ଗନ୍‌ ମଧ୍ୟ ଲଗାଯାଇଛି । ଏହି ଯାନଗୁଡ଼ିକର ଆଉ ଏକ ବିଶେଷତ୍ୱ ହେଲା ଯେ ଏଗୁଡିକ ନଦୀନାଳ ଅତିକ୍ରମ କରି ଯାଇପାରିବେ । ପାକିସ୍ତାନକୁ ଲାଗିଥିବା ବିଭିନ୍ନ ରାଜ୍ୟ ଯଥା ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ ଓ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏସବୁ ଯାନକୁ ମୁତୟନ କରାଯିବ ।

ସମ୍ବନ୍ଧିତ ଖବର