ପାକିସ୍ତାନ ସୀମାରେ ୬ଟି ଆପାଚେ ହେଲିକପ୍ଟର ମୁତୟନ କରିବ ଭାରତ

ନୂଆଦିଲ୍ଲୀ : ଗତ ବର୍ଷ ଆମେରିକାରୁ ଭାରତୀୟ ସେନା କିଣିଥିବା ଶକ୍ତିଶାଳି ଆପାଚେ ଲଢୁଆ ହେଲିକପ୍ଟର ଗୁଡ଼ିକୁ ପାକିସ୍ତାନସୀମାରେ ମୁତୟନ କରାଯିବ । ଏ ସଂପର୍କରେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଓ୍ଵାଣେ ସୂଚନା ଦେଇଛନ୍ତି । ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଦେଶର ପଶ୍ଚିମ ସୀମାରେ ବିପଦ ଆଶଙ୍କା ବଢିଚାଲିଥିବାରୁ ସେଠାରେ ୬ଟି ଆପାଚେ ମୁତୟନ କରାଯିବ । ତେବେ ପଶ୍ଚିମ ସୀମାର କେଉଁଠାରେ ଏହି ଆପାଚେ ଗୁଡ଼ିକୁ ମୁତୟନ କରାଯିବ ସେ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ସେ କିଛି କହିନାହାନ୍ତି । ତେବେ ସମ୍ଭତଃ ଏଗୁଡ଼ିକ ପଞ୍ଜାବର ପଠାନକୋଟ ଏୟାରବେସରେ ମୁତୟନ ହୋଇପାରେ ।

ପୂର୍ବରୁ ମଧ୍ୟ ଏହି ଏୟାରବେସକୁ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି । ଆଗକୁ ମଧ୍ୟ ଆକ୍ରମଣ ହେବାର ଆଶଙ୍କା ରହିଥିବାରୁ ଆପାଚେ ଗୁଡ଼ିକୁ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆକାଶପଥରୁ ଆଖି ପିଛୁଳାକେ ଟାର୍ଗେଟକୁ ଧ୍ୱଂସ କରିପାରୁଥିବା ଆପାଚେ ହେଲିକପ୍ଟର ଶତ୍ରୁ ଶିବିରରେ ଭୟ ସୃଷ୍ଟି କରିବାକୁ ଯଥେଷ୍ଟ । ଟ୍ୟାଙ୍କ୍, ସାମରିକ ଗାଡିକୁ ଧ୍ୱଂସ କରିବାରେ ମାହିର ଥିବା ଆପାଚେ ପୂରା ବିଶ୍ୱରେ ବିଧ୍ୱଂସକାରୀ ହେଲିକପ୍ଟର ଭାବେ ଜଣାଶୁଣା ।
ଏହି ହେଲିକପ୍ଟରରେ ୩୦ଏମଏମ ମେଶିନଗନ ସଂଯୁକ୍ତ ରହିଛି । ଯେଉଁଥିରୁ ଗୋଟିଏ ଥରରେ ୧୨୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଇ ଯାଇପାରିବ । ଏହାଛଡା ଏଥିରେ ଆଣ୍ଟି ଟ୍ୟାଙ୍କ୍ ହେଲଫାୟାର ମିସାଇଲ ରହିଛି ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଥରକେ ନଷ୍ଟ କରିବାକୁ ସକ୍ଷମ ।

ସମ୍ବନ୍ଧିତ ଖବର