ଚୀନ ସୀମାରେ ଏସ-୪୦୦ ମୁତୟନ କରିବ ଭାରତ

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଚୀନର ଲଢୁଆ ବିମାନ ଗୁଡ଼ିକ ବାରମ୍ବାର ଉଡ଼ାଣ କରୁଥିବାରୁ ଭାରତର ଚିନ୍ତା ବଢିଯାଇଛି । ଚୀନ ଭାରତକୁ ଉସୁକାଇବାକୁ ଚେଷ୍ଟା କରୁଥିବାବେଳେ ଭାରତ ସଂଯମତା ଅବଲମ୍ବନ କରୁଛି । ତେବେ ଏହି ବିପଦର ମୁକାବିଲା କରିବାକୁ ଭାରତ ଏସ-୪୦୦ ଟ୍ରିଅମ୍ଫ ଏୟାର ଡିଫେନ୍ସ ସିଷ୍ଟମ ଲଦାଖରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୩-୪ ମାସରେ ଏହାକୁ ମୁତୟନ କରାଯାଇପାରେ ।

ରୁଷଠାରୁ ମିଳିଥିବା ପ୍ରଥମ ଏସ-୪୦୦ ପାକିସ୍ତାନ ସୀମାରେ ମୁତୟନ ହୋଇଛି । ୨ୟ ଏସ-୪୦୦ ଯୋଗାଣ ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ଚୀନ ସୀମାରେ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ମୁତୟନ ପରେ ଶତ୍ରୁପକ୍ଷର ଯେକୌଣସି ଲଢୁଆ ବିମାନ, ଡ୍ରୋନ, କ୍ଷେପଣାସ୍ତ୍ର ଆଦିକୁ ଏହା ଠାବ କରି ନଷ୍ଟ କରିଦେବ ।

ସୂଚନାଯୋଗ୍ୟ ଯେ, ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା)ର ଚୁକ୍ତି ହୋଇଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ପ୍ରଥମ ରେଜିମେଣ୍ଟର ଯୋଗାଣ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିଲା ଓ ୨୦୨୦ ବଦଳରେ ୨୦୨୧ ଡିସେମ୍ବରରେ ପ୍ରଥମ ରେଜିମେଣ୍ଟ ଯୋଗାଣ ହୋଇଥିଲା । ଚଳିତ ବର୍ଷ ଆରମ୍ଭରେ ଏହାର ମୁତୟନ କାମ ସଂପୂର୍ଣ୍ଣ ହୋଇଛି ।

 

ସମ୍ବନ୍ଧିତ ଖବର