ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ବଳକା ପାଣି ବନ୍ଦ କରିବ

ନୂଆଦିଲ୍ଲୀ : ପାକିସ୍ତାନକୁ ପାଣି ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି ଭାରତ । ସିନ୍ଧୁ ଜଳବଣ୍ଟନ ଚୁକ୍ତି ଅନୁସାରେ ଭାରତ ନିଜ ଭାଗରେ ପଡୁଥିବା ପାଣିକୁ ମଧ୍ୟ ପାକିସ୍ତାନକୁ ଦେଉଥିଲା । କିନ୍ତୁ ଏବେ ଭାରତ ପାକିସ୍ତାନକୁ ବଳକା ଜଳ ବନ୍ଦ କରିବାକୁ ଯାଉଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ କହିଛନ୍ତି ଯେ ସିନ୍ଧୁ ଚୁକ୍ତି ଅନୁସାରେ ଯେତେ ପାଣି ପାକିସ୍ତାନ ପାଇବା କଥା ତାଠାରୁ ଅଧିକ ପାଉଛି । ଏଣୁ ସେହି ପାଣିକୁ ଅଟକାଇ ଭାରତର ଅନ୍ୟ ଅଂଚଳକୁ ପଠାଇବାକୁ ଯୋଜନା କରାଯାଉଛି ।

 

ସୂଚନାଯୋଗ୍ୟ ଯେ ତିବ୍ଦତ ଓ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ଅଛି । ଏହି ନଦୀଗୁଡ଼ିକ ପାକିସ୍ତାନର ସ୍ଥିତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ନଦୀର ପାଣି ନପହଞ୍ଚିଲେ ପାକିସ୍ତାନର ଅଧା ଅଞ୍ଚଳ ଜଳବିନା ମରୁଭୂମି ପାଲଟିବ । ତେବେ ଏହି ଚୁକ୍ତି ଅନୁସାର ଭାରତ ଭାଗରେ ଯେତିକି ପାଣି ଆସିଥିଲା ତାହାକୁ ମଧ୍ୟ ପାକିସ୍ତାନକୁ ଛାଡିହେବାକୁ ସେତେବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଅନୁମତି ଦେଇଥିଲେ । କିନ୍ତୁ ଭାରତର ଏଭଳି ଉଦାରତା ସତ୍ତ୍ୱେ ପାକିସ୍ତାନ ସବୁବେଳେ ଭାରତ ସହ ଶତ୍ରୁତା ଆଚରଣ କରୁଥିବାରୁ କେନ୍ଦ୍ରର ମୋଦି ସରକାର ୨୦୧୬ରେ ଏହି ଚୁକ୍ତିର ସମୀକ୍ଷା କରିବା ଲାଗି ସଂକେତ ଦେଇଥିଲେ ।

ସମ୍ବନ୍ଧିତ ଖବର