ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ଉତକ୍ଷେପଣଯୋଗ୍ୟ ଆକାଶ ମିସାଇଲ ସିଷ୍ଟମକୁ ଅନ୍ୟ ଦେଶମାନଙ୍କୁ ବିକ୍ରି କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ଏହି ମିସାଇଲ ସିଷ୍ଟମ ପୂର୍ବରୁ ହିଁ ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ ହୋଇସାରିଛି ।
ଏ ସମ୍ପର୍କରେ ଟ୍ବିଟ୍ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜଣାଇଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଆକାଶ ମିସାଇଲକୁ ଖରିଦ କରିବାକୁ ଅନେକ ବନ୍ଧୁରାଷ୍ଟ୍ର ଆଗ୍ରହ ଦେଖାଇଆସୁଥିଲେ । କ୍ୟାବିନେଟ ମଂଜୁରୀ ପରେ ଏହାକୁ ରପ୍ତାନି କରିବା ସମ୍ଭବ ହୋଇପାରିବ । ଏହି ମିସାଇଲ ସିଷ୍ଟମର ପ୍ରାୟ ୯୬ ପ୍ରତିଶତ ସାମଗ୍ରୀ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏହା ୨୫ କିଲୋମିଟର ଉଚ୍ଚରେ ଉଡ଼ୁଥିବା ଶତ୍ରୁପକ୍ଷର ବିମାନ, ଡ୍ରୋନ ଆଦିକୁ ଧ୍ବଂସ କରିପାରିବ ।
କେବଳ ଆକାଶ ମିସାଇଲ ନୁହେଁ, ଭାରତ ନିର୍ମିତ ଆଉ କେତେକ ସାମଗ୍ରୀ ଯଥା ରାଡାର, କୋଷ୍ଟାର ସର୍ଭିଲାନ୍ସ ସିଷ୍ଟମ ଖରିଦ ପାଇଁ ବିଭିନ୍ନ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି । ଏସବୁ ସାମଗ୍ରୀ ରପ୍ତାନି ପ୍ରକ୍ରିୟାର ଦ୍ରୁତ ମଂଜୁରୀ ପାଇଁ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଇଛି । ଏହି କମିଟିରେ ପ୍ରତିରକ୍ଷାମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ସଦସ୍ୟ ରହିବେ ।