ଅକ୍ଟୋବର ସୁଦ୍ଧା ଭାରତରେ ଉପଲବ୍ଧ ହେବ ଆଉ ୫ଟି କରୋନା ଟିକା

ନୂଆଦିଲ୍ଲୀ : ଭାରତରେ ଏବେ ଦୁଇ ପ୍ରକାରର ଟିକା- କୋଭାକ୍ସିନ ଓ କୋଭିସିଲ୍ଡ ଦିଆଯାଉଛି । ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା ଭାରତରେ ଆଉ ୫ଟି କରୋନା ଟିକା ଉପଲବ୍ଧ ଥିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ସରକାରୀ ସୁତ୍ରକୁ ଉଦ୍ଧାର କରି ଏକ ସମ୍ବାଦ ସରବରାହ ସଂସ୍ଥା କହିଛି ଯେ ଆସନ୍ତା ଅକ୍ଟୋବର ସୁଦ୍ଧା ଭାରତରେ ଆଉ ୫ ପ୍ରକାରର ଟିକା ଉପଲବ୍ଧ ଥିବ । ସେଗୁଡ଼ିକ ହେଉଛି ଋଷିଆର ସ୍ପୁଟନିକ ଟିକା, ଜନସନ ଏଣ୍ଡ ଜନସନର ଜେନିସିନ ଟିକା, ନୋଭାଭାକ୍ସ, ଜାଇଡସ କାର୍ଡିଲାର ଜାଇକୋଭ-ଡି ଓ ଭାରତ ବାୟୋଟେକର ଇଣ୍ଟ୍ରାନାଜାଲ ଭାକ୍ସିନ (ନାକରେ ଦିଆଯାଉଥିବା ଟିକା) ।

ଆସନ୍ତା ୧୦ ଦିନ ମଧ୍ୟରେ ସ୍ପୁଟନିକ ଟିକାକୁ ଅନୁମତି ମିଳିବାର ସମ୍ଭାବନା ରହିଛି । ଏହି ଟିକା ଉତ୍ପାଦନ ପାଇଁ ଡ. ରେଡ୍ଡିଜ୍ ଲାବ ଲାଇସେନ୍ସ ହାସଲ କରିଛି ।

ସେହିପରି ନିକଟରେ ଭାରତୀୟ ଔଷଧ ମହା ନିୟନ୍ତ୍ରକ (ଡିସିଜିଆଇ) ପକ୍ଷରୁ  ଜାନସିନ ଟିକାର ଫେଜ୍-୧ ଓ ଫେଜ-୨ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି ।  ଏହି ଟିକାକୁ ପୂର୍ବରୁ ଆମେରିକୀୟ ଔଷଧ ନିୟନ୍ତ୍ରକ ୟୁଏସଏଫଡିଏ ଅନୁମତି ଦେଇଥିବାରୁ ଭାରତରେ ଏହାର ଏକ ବ୍ରିଜିଂ ଟ୍ରାଏଲ ଅର୍ଥାତ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପରୀକ୍ଷଣ କରାଯିବ । ଏଣୁ ଖୁବ ଶୀଘ୍ର ଏହି ଟିକାକୁ ଅନୁମତି ମିଳିବାର ସମ୍ଭାବନା ରହିଛି । ସେହିପରି ଅନ୍ୟ ଟିକାଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ ।

ସମ୍ବନ୍ଧିତ ଖବର