ଭାରତକୁ ମିଳିଯିବ ଚତୁର୍ଥ କୋଭିଡ୍‌ ଟିକା! ‘ଜାଇକୋଭ୍‌-ଡି’ ପାଇଁ ଅନୁମତି ଲୋଡ଼ିବ ଜାଇଡସ୍‌ କାଡ଼ିଲା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ଭେଷଜ କମ୍ପାନି ଅହମଦାବାଦ ସ୍ଥିତ ଜାଇଡସ୍‌ କାଡ଼ିଲା ଦ୍ବାରା ବିକଶିତ ‘ଜାଇକୋଭ୍‌-ଡି’ ନାମକ କୋଭିଡ୍‌ ଟିକାର ସାର୍ବଜନୀନ ବ୍ୟବହାର ପାଇଁ କମ୍ପାନି ଆବେଦନ କରିବ । ଏହାକୁ ଅନୁମୋଦନ ମିଳିଗଲେ ଏହା ବିଶ୍ବର ଡିଏନ୍‌ଏ-ପ୍ଲାଜମିଡ୍‌ ଜ୍ଞାନକୌଶଳ ଉପରେ ପର୍ଯ୍ୟବସିତ ପ୍ରଥମ କୋଭିଡ୍‌ ଟିକାର ମାନ୍ୟତା ରଖିବ। ଏହା ମଧ୍ୟ ଭାରତର ପ୍ରଥମ ଟିକା ଭାବେ ୧୨ ବର୍ଷରୁ ଅଧିକ ବୟସ୍କମାନଙ୍କୁ ପ୍ରଦାନ କରାଯାଇପାରିବ, କାରଣ ସେହି ବର୍ଗର ସ୍ବେଚ୍ଛାସେବୀଙ୍କ ଠାରେ ଏହି ଟିକାର ନୈଦାନିକ ପରୀକ୍ଷଣ କରାଯାଇଛି। ଦେଶରେ ଅଧୁନା କୋଭିସିଲ୍‌ଡ, କୋଭାକ୍ସିନ୍‌ ଓ ସ୍ପୁଟନିକ୍‌-ଭି ଟିକାର ବ୍ୟବହାର ଚାଲୁ ରହିଥିବା ବେଳେ ଜାଇକୋଭ୍‌-ଡି ଚତୁର୍ଥ ଟିକା ଭାବେ ଗଣଟିକାକରଣରେ ସାମିଲ ହେବ ବୋଲି ଆଶା କରାଯାଉଛି।

ଏହି ଟିକାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣର ଫଳାଫଳର ବିଶ୍ଳେଷଣ ପ୍ରାୟ ସରିଛି ଏବଂ କମ୍ପାନି ତୁରନ୍ତ ଟିକାର ସାର୍ବଜନୀନ ବ୍ୟବହାର ନିମିତ୍ତ ଆବଶ୍ୟକ ଅନୁମତି ହାସଲ ପାଇଁ ଆବେଦନ କରିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ସୂଚନା ଥାଉ କି, ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍‌ ପରେ ଜାଇକୋଭ୍‌-ଡି ଦେଶର ଦ୍ବିତୀୟ ନିଜସ୍ବ ଟିକା ଭାବେ ବଜାରକୁ ଆସିବ। ବର୍ତ୍ତମାନ ପାଇଁ ଏହା ତିନିଟି ମାତ୍ରାରେ ପ୍ରଦାନ କରାଯିବାକୁ ଥିବା ବେଳେ ଭବିଷ୍ୟତରେ ଦୁଇଟି ମାତ୍ରା କରିବା ପାଇଁ ପରୀକ୍ଷା ନିରୀକ୍ଷା ଜାରି ରହିଛି ବୋଲି କୁହାଯାଇଛି। ଅପରପକ୍ଷେ, ଏହା କୌଣସି ସିରିଞ୍ଜ୍‌ର ଛୁଞ୍ଚି ମାଧ୍ୟମରେ ଦିଆନଯାଇ ଚର୍ମ ଉପରେ ସିଧା ସଳଖ ରଖିଦେଲେ ଉଚ୍ଚ ଚାପରେ ଦ୍ରବଣଗୁଡ଼ିକ ଟପି ଶରୀର ଭିତରକୁ ଯିବ ବୋଲି ଜଣାଯାଇଛି। ସୁତରାଂ ଶିଶୁବର୍ଗରେ ଏହାର ଗ୍ରହଣୀୟତା ଅଧିକ ରହିବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସାର୍ବିଲ ପଟେଲ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର